ଘରେ ନପଶି ମୁଣ୍ଡ ବାଜିଲା' : ନୂତନ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟିକୁ ନେଇ ଶିକ୍ଷାବିତଙ୍କ ଉଦ୍ବେଗ

Jun 26, 2026 - 23:37
0 17
ଘରେ ନପଶି ମୁଣ୍ଡ ବାଜିଲା' : ନୂତନ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟିକୁ ନେଇ ଶିକ୍ଷାବିତଙ୍କ ଉଦ୍ବେଗ

କଳାହାଣ୍ଡି | ୨୬l୬(ଷ୍ଟାର ନିୟୁଜ ଓଡିଶା )ଜାତୀୟ ଶିକ୍ଷା ନୀତି (NEP-2020) ଆଧାରରେ ଓଡ଼ିଶାରେ ପ୍ରଚଳିତ ହୋଇଥିବା ନୂତନ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଚିହ୍ନଟ ହେବା ପରେ ଶିକ୍ଷା ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ତୀବ୍ର ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଶିକ୍ଷାନୀତି ପ୍ରୟୋଗ ପ୍ରକ୍ରିୟା ଓ ପାଠ୍ୟପୁସ୍ତକ ପ୍ରସ୍ତୁତିକୁ କଡ଼ା ସମାଲୋଚନା କରିଛନ୍ତି।
ତାଙ୍କ ମତରେ, ଜାତୀୟ ଶିକ୍ଷା ନୀତି-୨୦୨୦କୁ ରାଜ୍ୟରେ ପର୍ଯ୍ୟାପ୍ତ ଆଲୋଚନା, ସ୍ଥାନୀୟ ପରିସ୍ଥିତିର ମୂଲ୍ୟାଙ୍କନ ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ବିନା କାର୍ଯ୍ୟକାରୀ କରାଯାଇଛି। ଫଳସ୍ୱରୂପ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଦ୍ରିତ ପାଠ୍ୟପୁସ୍ତକରେ ମୋଟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା ବେଳେ, କେବଳ ଅଷ୍ଟମ ଶ୍ରେଣୀର ପୁସ୍ତକରେ ୭୦୫ଟି ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ତ୍ରୁଟିଗୁଡ଼ିକ ଭୌଗୋଳିକ, ଐତିହାସିକ ତଥ୍ୟ ଏବଂ ବନାନ ସମ୍ବନ୍ଧୀୟ ବୋଲି ସେ ଦାବି କରିଛନ୍ତି।
ଅଧ୍ୟାପକ ଦାସ ଗଣଶିକ୍ଷା ମନ୍ତ୍ରୀଙ୍କ ସେହି ବୟାନକୁ ମଧ୍ୟ ସମାଲୋଚନା କରିଛନ୍ତି, ଯେଉଁଥିରେ ତ୍ରୁଟି ସଂଶୋଧନ କରି ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ କୁହାଯାଇଥିଲା। ତାଙ୍କ ମତରେ, ଏହା ଦାୟିତ୍ୱହୀନତାର ପରିଚୟ ଏବଂ ଏପରି ଗୁରୁତର ତ୍ରୁଟି ପାଇଁ ସମ୍ପୃକ୍ତ ସମ୍ପାଦନା ମଣ୍ଡଳୀ, ବିଭାଗୀୟ ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କ ଜବାବଦେହିତା ନିର୍ଦ୍ଧାରଣ ହେବା ଆବଶ୍ୟକ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟର ଅନେକ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି, ପ୍ରଯୁକ୍ତି ସୁବିଧା ଓ ଶିଶୁବାଟିକା ବ୍ୟବସ୍ଥା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଏପରି ପରିସ୍ଥିତିରେ ତଡ଼ିଘଡ଼ି ନୂତନ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ଦ୍ୱାରା ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶିକ୍ଷାବିତ, ଶିକ୍ଷକ ସଂଗଠନ, ଅଭିଭାବକ ଓ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ସରକାରଙ୍କୁ ଆହ୍ୱାନ କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User