ଚାଷୀ ସଂକଟ, ଆଇନଶୃଙ୍ଖଳା ବିପର୍ଯ୍ୟୟ ବିରୋଧରେ ବିଜେଡିର ରାଜରାସ୍ତା ଆନ୍ଦୋଳନ ଭବାନୀପାଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ହଜାର ହଜାର ଚାଷୀଙ୍କ ଆର୍ତ୍ତନାଦ

Feb 3, 2026 - 20:31
 0  21
ଚାଷୀ ସଂକଟ, ଆଇନଶୃଙ୍ଖଳା ବିପର୍ଯ୍ୟୟ ବିରୋଧରେ ବିଜେଡିର ରାଜରାସ୍ତା ଆନ୍ଦୋଳନ ଭବାନୀପାଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ହଜାର ହଜାର ଚାଷୀଙ୍କ ଆର୍ତ୍ତନାଦ

ଭବାନୀପାଟଣା, ୦୩/୦୨ (ଷ୍ଟାର ନିଉଜ ଓଡିଶା):ରାଜ୍ୟରେ ଦିନକୁ ଦିନ ଗଭୀର ହୋଇଯାଉଥିବା ଚାଷୀ ସମସ୍ୟା ଓ ନିୟନ୍ତ୍ରଣହୀନ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକ୍‌ ଦିଆଯାଇଛି। ସେହି ଆହ୍ୱାନର ଅଂଶ ଭାବେ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଭବ୍ୟ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ଏହି ବିକ୍ଷୋଭ ସଭାରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ, ଦଳୀୟ କର୍ମୀ ଓ ନେତୃବୃନ୍ଦ ଯୋଗଦେଇ ବିଜେପି ସରକାର ବିରୋଧରେ ତୀବ୍ର ନାରାବାଜି କରିଥିଲେ। ଚାଷୀମାନେ ଅଭିଯୋଗ କରି କହିଥିଲେ ଯେ, ସରକାର ଚାଷୀଙ୍କୁ ସାର ଯୋଗାଇବାରେ ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଧାନ ଚାଷ ସମୟରେ ସାର ମିଳିନଥିବାରୁ ଚାଷୀମାନେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଧାନ ଅମଳ ପରେ ମଧ୍ୟ ଚାଷୀଙ୍କ ଦୁଃଖ କମିନାହିଁ। ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲୁନଥିବାରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେବି ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଛି। କଟନୀଛଟନୀ ନାମରେ ମିଲର୍ସମାନେ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ସରକାର ନିରବ ଦର୍ଶକ ସାଜି ରହିଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି।

ବିଜେଡି ନେତୃବୃନ୍ଦ କହିଥିଲେ ଯେ, ବିଜେପି ସରକାର ଧାନର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ସହ ୬୯ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ, କିନ୍ତୁ ଏହି ଘୋଷଣା କେବଳ ପ୍ରଚାର ସର୍ବସ୍ୱ ରହିଛି। ଚାଷୀଙ୍କୁ ତାଙ୍କ ହକ ମିଳୁନଥିବାରୁ ସେମାନେ ଶୀତ କାକରରେ ମଣ୍ଡିରେ ରାତି କାଟୁଥିବା ବେଳେ ସରକାରୀ ମନ୍ତ୍ରୀମାନେ ମେଳା, ମହୋତ୍ସବ ଓ ଆଡମ୍ବରରେ ବ୍ୟସ୍ତ ରହିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୟଙ୍କର ଭାବେ ବିଗଡ଼ିଯାଇଥିବା ଅଭିଯୋଗ କରି ବିଜେଡି ନେତାମାନେ କହିଥିଲେ ଯେ, ମହିଳାଙ୍କ ଉପରେ ଅତ୍ୟାଚାର, ସାମ୍ପ୍ରଦାୟିକ ଭେଦଭାବ ଓ ସାଧାରଣ ଲୋକଙ୍କ ଅସୁରକ୍ଷା ଆଜି ରାଜ୍ୟରେ ମୁଖ୍ୟ ସମସ୍ୟା ହୋଇଉଠିଛି।

ଅପରାହ୍ନରେ ବିଜେଡି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଯାଇଥିବାବେଳେ ପୋଲିସ ଦ୍ୱାରା ସେମାନଙ୍କୁ ଅଟକାଯାଇଥିଲା। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ପଠାଯାଇଥିଲେ ମଧ୍ୟ ବିଜେଡି ନେତୃବୃନ୍ଦ ଜିଲ୍ଲାପାଳ ନିଜେ ଆସି ଦାବିପତ୍ର ଗ୍ରହଣ କରିବାକୁ ଦାବି କରି ଅଡ଼ି ରହିଥିଲେ। ଦୀର୍ଘ ସମୟ ଧରି ଜିଲ୍ଲାପାଳ ନଆସିବାରୁ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ନାରାବାଜି କରିଥିଲେ। ପରେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଦାବିପତ୍ର ଗ୍ରହଣ କରିଥିଲେ।

ଏହି ପ୍ରତିବାଦ ସଭାରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ବରିଷ୍ଠ ନେତା, ମହିଳା, ଯୁବ ଓ ଛାତ୍ର ବିଜେଡି ନେତୃବୃନ୍ଦ ସହ ସମସ୍ତ ବ୍ଲକର ଶତାଧିକ କର୍ମୀ ଉପସ୍ଥିତ ଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR