ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : କଳାହାଣ୍ଡିରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ

May 15, 2026 - 08:38
0 11
ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : କଳାହାଣ୍ଡିରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ

କଳାହାଣ୍ଡି, ୧୫/୦୫ (ଷ୍ଟାର ନ୍ୟୁଜ ଓଡିଶା) : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ବାତିଲ ପ୍ରସଙ୍ଗକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧି ଛକଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇ ଘଟଣାର ନିଷ୍ପକ୍ଷ ତଦନ୍ତ ଦାବି କରାଯାଇଥିଲା।
ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ ଯେ, ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ନିଟ୍ ପରୀକ୍ଷାରେ ପୁନଃପୁନି ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ଅନିୟମିତତା ସାମ୍ନାକୁ ଆସୁଥିବାରୁ ପରୀକ୍ଷା ପ୍ରଣାଳୀର ସ୍ୱଚ୍ଛତା ଓ ପାରଦର୍ଶିତା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ଚଳିତ ବର୍ଷ ମେ ୩ ତାରିଖରେ ପରୀକ୍ଷା ଦେଇଥିବା ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ପଡ଼ିଥିବା ବୋଲି ସେମାନେ କହିଥିଲେ।
ଏହି ଘଟଣାରେ ଦାୟୀ ଅଧିକାରୀ ଓ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ନିଟ୍ ପରୀକ୍ଷାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା ସହ ପେପର ଲିକ୍ ଘଟଣାର ନିଷ୍ପକ୍ଷ ତଦନ୍ତ କରିବାକୁ ଦାବି ଉଠିଥିଲା। ସେହିପରି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ତୁରନ୍ତ ପଦତ୍ୟାଗ କରିବାକୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦାବି କରାଯାଇଥିଲା।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଧନ ଦାସ, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଦୀନେଶ ବଗର୍ତି, ଶିବା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ବିଷ୍ଣୁ ଚରଣ ସ୍ୱାଇଁ
ପ୍ଲେସ : କଳାହାଣ୍ଡି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User