ମୃତ୍ୟୁ ପରେ ବି ଅନ୍ୟ ପାଇଁ ବଞ୍ଚିବାର ସଂକଳ୍ପ: ଅଙ୍ଗଦାନ ପାଇଁ ଶପଥ ନେଲେ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି I

Jan 02, 2026 - 20:33
0 52
ମୃତ୍ୟୁ ପରେ ବି ଅନ୍ୟ ପାଇଁ ବଞ୍ଚିବାର ସଂକଳ୍ପ: ଅଙ୍ଗଦାନ ପାଇଁ ଶପଥ ନେଲେ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି I

ଥୁଆମୂଳ ରାମପୁର,୦୨/୦୧-( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି, କଲମ ଯେଉଁଠି ସମାଜର ସ୍ୱର ସାଜେ, ସେଠାରେ ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ ମଧ୍ୟ ଜନହିତ ପାଇଁ ଉତ୍ସର୍ଗୀକୃତ ହୋଇଯାଏ। ଏଭଳି ଏକ ମହାନତାର ଜ୍ଵଳନ୍ତ ଉଦାହରଣ ସାଜିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ଅନ୍ତର୍ଗତ ତାଳବନ୍ଧ ପଡ଼ାର ଜଣେ ନିର୍ଭୀକ ଯୁବ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି) । ସ୍ୱର୍ଗତ ଧବଳେଶ୍ଵର ଦୁର୍ଗାଙ୍କ କନିଷ୍ଠ ପୁତ୍ର କୀର୍ତ୍ତି, ନିଜ ମୃତ୍ୟୁ ପରେ ବହୁମୂଲ୍ୟ ଅଙ୍ଗଦାନ କରିବାକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ NOTTO (National Organ & Tissue Transplant Organization) ନିକଟରେ ଶପଥ ଗ୍ରହଣ କରିଛନ୍ତି। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଥିବା କୀର୍ତ୍ତି ଚନ୍ଦ୍ର ଦୁର୍ଗା ସ୍ଥାନୀୟ ଅଞ୍ଚଳରେ ଏକ ଜଣାଶୁଣା ଚେହେରା। ବିଶେଷ କରି ଦୈନିକ 'ଧରିତ୍ରୀ' ଖବରକାଗଜ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସହ ଜଡ଼ିତ ରହି ସେ ଅବହେଳିତ ଓ ନିରୀହ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜଣେ ନିର୍ଭୀକ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଛି, ମାତ୍ର ସେ କଦାପି ପଛଘୁଞ୍ଚା ଦେଇନାହାନ୍ତି। ତାଙ୍କ ମତରେ— "ବଞ୍ଚିଥିବା ଯାଏ କଲମ ମାଧ୍ୟମରେ ସମାଜ ସେବା କରିବି ଏବଂ ମୃତ୍ୟୁ ପରେ ମୋ ଶରୀର ଅନ୍ୟ କାହାର କାମରେ ଆସୁ, ଏହା ହିଁ ମୋର ଏକମାତ୍ର ଲକ୍ଷ୍ୟ।" ଅତି ଗରିବ ଶ୍ରେଣୀର ପରିବାରରୁ ଆସିଥିବା କୀର୍ତ୍ତିଙ୍କ ଜୀବନ ସଂଘର୍ଷମୟ। ପିଲାବେଳୁ ପିତାଙ୍କୁ ହରାଇବା ପରେ ମାଆ ଓ ଦୁଇ ଭାଇଙ୍କ ସହଯୋଗରେ ସେ ନିଜର ସାମ୍ବାଦିକତା କ୍ୟାରିୟର ଗଢ଼ିଛନ୍ତି। ମାନବିକତାର ପରିଚୟ ଦେଇ ସେ ନିଜର ଯକୃତ (Liver), ବୃକକ (Kidney), ହୃଦୟ (Heart), ଫୁସଫୁସ (Lungs), ଅଗ୍ନାଶୟ (Pancreas) ସମେତ ଚକ୍ଷୁ (Cornea) ଓ ଅନ୍ୟାନ୍ୟ ପ୍ରମୁଖ ଟିସୁ ଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ସଂକଳ୍ପ ସମ୍ପର୍କରେ ସେ ଥୁଆମୂଳ ରାମପୁର ପୋଲିସ ଷ୍ଟେସନରେ ଏକ ଆବେଦନ ପତ୍ର ପ୍ରଦାନ କରି ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଯେପରି ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇପାରିବ, ସେଥିପାଇଁ ସେ ସହଯୋଗ ଭିକ୍ଷା କରିଛନ୍ତି। "ଜୀବନ ପରେ ବି ବଞ୍ଚିବାର ସୁଯୋଗ" ନାରାକୁ କାର୍ଯ୍ୟରେ ପରିଣତ କରିଥିବା ଏହି ଯୁବ ସାମ୍ବାଦିକଙ୍କ ସାହସିକ ନିଷ୍ପତ୍ତିକୁ ସାରା ଜିଲ୍ଲାରେ ଭୂୟସୀ ପ୍ରଶଂସା କରାଯାଉଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User