ମେଧାବୀ ଛାତ୍ର ଓ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ଅଭାବ ସରକାରୀ ସହାୟତା ପାଇଁ ପରିବାର ପକ୍ଷରୁ ଗୁହାରି

May 05, 2025 - 06:29
0 77
ମେଧାବୀ ଛାତ୍ର ଓ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ଅଭାବ ସରକାରୀ ସହାୟତା ପାଇଁ ପରିବାର ପକ୍ଷରୁ ଗୁହାରି

ଝରିଗାଁ,୫l୫(ଷ୍ଟାର  ନିୟୁଜ ଓଡ଼ିଶା ): ପରିବାରର ଆର୍ଥିକ ସ୍ଥିତି ଠିକ ନହିଁ।ତଥାପି ପାଠ ପଢାରେ କୌଣସି ଅବହେଳା ନାହିଁ।ପାଠ ପଢାର ଆଗ୍ରହ ଦେଖି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଓ ଉଦ୍ୟମରେ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ପରିବାର ପାଖରେ ଅର୍ଥ ଅଭାବ ଦେଖାଦେଇଛି।ତେଣୁ ପ୍ରଶାସନ ପକ୍ଷରୁ ପାଠ ପଢା ପାଇଁ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଗୁହାରି କରିଛନ୍ତି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁ ଗ୍ରାମରୁ ଏଭଳି ଖବର ଆସିଛି।ଫୁଫୁଗାଁ ଗ୍ରାମର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଫୁଫୁଗାଁ ଗ୍ରାମର ଛାତ୍ର ଭବସିନ୍ଧୁ ଦୁରିଆ ଏବଂ ଛାତ୍ରୀ ନନ୍ଦିନୀ ରେଳୀ ପାଠ ପଢି ଆସୁଥିଲେ।ଉଭୟଙ୍କ ପରିବାରର ଆର୍ଥିକ ଅବସ୍ଥା ଠିକ ନୁହଁ।ଭବସିନ୍ଧୁ ଦୁରିଆଙ୍କ ବାପା ହୁସେନ କୁମାର ଦୁରିଆଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ୨୦୧୮ ମସିହାରେ ଦେହାନ୍ତ ହୋଇଯାଇଥିଲା।ବାପାଙ୍କ ଦେହାନ୍ତ ପରେ ମାଆ ହୀରାମଣି ଦୁରିଆଙ୍କ ଉପରେ ପରିବାରର ବଝୋ ପଡିଥିଲା।ହୀରାମଣି ଗ୍ରାମରେ କୁଲି କାମ କରି ଦୁଇ ପୁଅଙ୍କୁ ନେଇ ଚଳୁଛନ୍ତି।ଆର୍ଥିକ ଅଭାବ ସ୍ୱତ୍ତ୍ୱେ ବଡ଼ ପୁଅକୁ କୋରାପୁଟ ଡିଗ୍ରୀ କଲେଜରେ ପାଠ ପଢ଼ାଉ ଥିବା ବେଳେ ସାନ ପୁଅକୁ ଫୁଫୁଗାଁ ଠାରେ ପାଠ ପଢ଼ାଉ ଥିଲେ।ସାନ ପୁଅ ଭବସିନ୍ଧୁ ଦୁରିଆ ଛୋଟ ବେଳୁ ପାଠ ପଢା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ।ବିଦ୍ୟାଳୟର ଉତ୍ତମ ଛାତ୍ର ଭାବେ ଛୋଟ ସମୟରୁ ପରିଚିତ ଥିଲେ।ତେବେ ଶ୍ରେଣୀ ବଢିବା ସହ ପାଠ ମଧ୍ୟ ଧୀରେ ଧୀରେ କଷ୍ଟ ହୋଇଥିଲା।କିନ୍ତୁ ପାଠ ପଢ଼ାରେ ଆଗ୍ରହ କମି ନଥିଲା।ପାଠ ପଢ଼ା ସମୟରେ ଜିଲ୍ଲା ତଥା ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ ମଧ୍ୟ କରିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ସମୟରେ ପ୍ରଶାସନ ପକ୍ଷରୁ ଭବସିନ୍ଧୁଙ୍କୁ ପୋଷାକ, ଜୋତା ଓ ଆବଶ୍ୟକ ବୋହି ପ୍ରଦାନ କରାଯାଇଥିଲା।କିନ୍ତୁ ଆର୍ଥିକ ଅଭାବ ଯୋଗୁଁ ପରୀକ୍ଷାରେ ପ୍ରସ୍ତୁତି ହେବା ପାଇଁ ଖାତା ସହ ବିଭିନ୍ନ ବିଷୟର ଗାଇଡ଼ ଓ ଟେଷ୍ଟ ପେପର କିଣିବାରେ ସକ୍ଷମ ହୋଇ ପାରିନଥିଲେ।ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମର ମାଝୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭବସିନ୍ଧୁଙ୍କ ପାଠ ପଢାର ଆଗ୍ରହ ଓ ଜ୍ଞାନ ଦେଖି ସମସ୍ତ ପ୍ରକାର ଗାଇଡ଼ ଓ ଟେଷ୍ଟ ପେପର ବ୍ୟବସ୍ଥା କରିବା ସହ ମାଗଣା କଚିଙ୍ଗ ଦେଇ ଅଧିକ ସମୟ ଦେଇ ପାଠ ପଢ଼ାଇ ଥିଲେ।ଶେଷରେ ସମସ୍ତଙ୍କ ପ୍ରଚେଷ୍ଟାରେ ଭବସିନ୍ଧୁ ୪୮୦ ମାର୍କ ଆଣି ଦଶମ ଶ୍ରେଣୀରେ ପାସ କରିଛନ୍ତି ଏବଂ ନିଜ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ବର୍ତ୍ତମାନ ଭବସିନ୍ଧୁଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ଅଭାବ ଦେଖା ଦେଇ ଥିବାରୁ ମାଆ ହୀରାମଣି ଚିନ୍ତାରେ ପଡିଛନ୍ତି।ସେହିଭଳି ଅନ୍ୟ ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ ହେଉଛନ୍ତି ଫୁଫୁଗାଁ ଗ୍ରାମର ସୁବା ରେଳୀଙ୍କ ଦ୍ଵତୀୟ ଝିଅ ନନ୍ଦିନୀ ରେଳୀ।ସେ ଜନ୍ମରୁ ଭିନ୍ନକ୍ଷମ।ନନ୍ଦିନୀଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ଦେଖା ଯାଉନଥିବା ବେଳେ ବାମ ଆଖି ଅଳ୍ପ ଦେଖା ଯାଉଛି।କିନ୍ତୁ ପାଠ ପଢାରେ ଆଗ୍ରହ ରହିଛି।ଅଧିକ ସମୟ ପାଠ ପଢିଲେ ନନ୍ଦିନୀଙ୍କ ମୁଣ୍ଡ ବ୍ୟଥା ହେଉଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଠ ପଢାକୁ ମନେ ରଖି ରଖି ସେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଥିଲେ।ଶେଷରେ ୪୨୦ ମାର୍କ ଆଣି ନିଜ ବିଦ୍ୟାଳୟରେ ଦ୍ଵତୀୟ ସ୍ଥାନ ଅଧିକାର କରିଛନ୍ତି।ନନ୍ଦିନୀଙ୍କ ବାପା ସୁବା କୁଲି କାମ କରି ପରିବାର ୬ ଜଣଙ୍କୁ ପ୍ରତି ପୋଷଣ କରୁଥିବା କଷ୍ଟ ହେଉଥିବା ବେଳେ ଝିଅକୁ ଉଚ୍ଚ ଶିକ୍ଷା ପାଇଁ ପାଠ ପଢ଼ାଇବା ପାଇଁ ଆର୍ଥିକ ଆଭାବ ରହିଥିବା କହିଛନ୍ତି।ତେଣୁ ଉଭୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା କିମ୍ୱା ମାଗଣା ଶିକ୍ଷା ଯୋଗାଇ ଦେବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।ସେହିପରି ପ୍ରଧାନ ଶିକ୍ଷକ ବିଜୟ କୁମର ମାଝୀଙ୍କ କହିବା ପ୍ରକାରେ ଉଭୟ ଛାତ୍ର ଛାତ୍ରୀ ମେଧାବୀ ଥିବା ବେଳେ ପ୍ରଶାସନ ପକ୍ଷରୁ ପାଠ ପଢିବା ପାଇଁ ସୁବିଧା ସୁଯୋଗ ମିଳିଲେ ଉଭୟଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ପାରିବ ବୋଲି ମତ ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User