ର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତିର ଗନ୍ଧ! ରାସ୍ତା ନଥିବା ସ୍ଥାନରେ ୩ ଲକ୍ଷର କମ୍ୟୁନିଟି ହଲ୍, ଅଭିଯୋଗ ପରେ ବି ଚାଲିଛି କାମ

Jul 14, 2026 - 14:56
 0  13
ର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତିର ଗନ୍ଧ! ରାସ୍ତା ନଥିବା ସ୍ଥାନରେ ୩ ଲକ୍ଷର କମ୍ୟୁନିଟି ହଲ୍, ଅଭିଯୋଗ ପରେ ବି ଚାଲିଛି କାମ

କଳାହାଣ୍ଡି, ୧୪/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):

କର୍ଲାମୁଣ୍ଡା ବ୍ଲକରେ ବିକାଶ ଯୋଜନାର କାର୍ଯ୍ୟକାରିତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜୋରାଡବରା ଗ୍ରାମପଞ୍ଚାୟତର ସିଲେଟପଡ଼ା ଗ୍ରାମରେ 'ବିକଶିତ ଗାଁ–ବିକଶିତ ଓଡ଼ିଶା' ଯୋଜନାରେ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କମ୍ୟୁନିଟି ହଲ୍ ନିର୍ମାଣ କରାଯାଉଥିବାବେଳେ, ଏହାର ସ୍ଥାନ ଚୟନ ଓ ନିର୍ମାଣ ମାନକୁ ନେଇ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି।
ଗ୍ରାମବାସୀଙ୍କ କହିବାନୁସାରେ, କମ୍ୟୁନିଟି ହଲ୍‌ଟି ଏକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଚାଷ ଜମିରେ ନିର୍ମାଣ ହେଉଛି, ଯେଉଁଠାକୁ ଯିବା ପାଇଁ କୌଣସି ରାସ୍ତା ବ୍ୟବସ୍ଥା ନାହିଁ। ଫଳରେ, ଭବିଷ୍ୟତରେ ଏହି କମ୍ୟୁନିଟି ହଲ୍ ଗ୍ରାମବାସୀଙ୍କ କୌଣସି ସାମୁଦାୟିକ କାର୍ଯ୍ୟରେ ଉପଯୋଗୀ ହେବ ନାହିଁ। ଏହା ସହ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ମଧ୍ୟ ଉଠିଛି।
ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଗତ ୧୧ ମେ' ତାରିଖରେ କର୍ଲାମୁଣ୍ଡାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଏବଂ ୨୨ ମେ' ତାରିଖରେ କର୍ଲାମୁଣ୍ଡା ବିଡିଓ ସୁଚରିତା ମୁଗ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟ ବନ୍ଦ ନହୋଇ ପୂର୍ବବତ୍ ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସୋମବାର ଜଳନ୍ଧର ଭୋଇ, ସତ୍ୟନାରାୟଣ ସାହୁ, ଟିକେଲାଲ ସାହୁ, ତୁଳସୀଲାଲ ଭୋଇ, ହରି ସାହୁ, ହାରାଚରଣ ବାଗ, ଭାଗୀରଥୀ ବାଗ, ଶମ୍ଭୁ ସାହୁ, ଦୁର୍ଗା ମାଝୀ, ପଲସ୍ତି ସାହୁ, ଭୋଳା ସାହୁଙ୍କ ସମେତ ବହୁ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବ୍ଲକ ସଦର ଶିବ ମନ୍ଦିରରୁ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଉକ୍ତ ଦାବିପତ୍ରଟି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ତହସିଲଦାର ଅରୁଣ କୁମାର ବର୍ଗେ କହିଛନ୍ତି ଯେ, ଗ୍ରାମବାସୀଙ୍କ ଅଭିଯୋଗପତ୍ରକୁ ନିୟମାନୁସାରେ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ।
ଏବେ ପ୍ରଶ୍ନ ଉଠୁଛି— ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କାହିଁକି ନିର୍ମାଣ କାର୍ଯ୍ୟ ବନ୍ଦ ହେଲା ନାହିଁ? ରାସ୍ତା ନଥିବା ସ୍ଥାନରେ ସରକାରୀ ଅର୍ଥରେ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ କିଏ ଅନୁମତି ଦେଲା? ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR