ଶୁଣିଲାନି ପ୍ରଶାସନ, ଅର୍ଥ ଓ ଶ୍ରମ ଦାନ କରି କାଦୁଅ ପଚ ପଚ ରାସ୍ତାର ମରାମତି କଲେ ୫୦ ଯୁବକ।

ଫିରିଙ୍ଗିଆ,୯l୮(ଷ୍ଟାର ନିୟୁଜ): କାଦୁଅ ପଚ ପଚ ରାସ୍ତାରେ ଯାତାୟତରେ ବାଧାପ୍ରାପ୍ତ ହେଉଥିବାରୁ ଅର୍ଥ ଓ ଶ୍ରମ ଦାନ କରି ରାସ୍ତାର ମରାମତି କରିଛନ୍ତି ବଟା ବାହାଲି ଗାଁର ମା' ବରାଳ ଦେବୀ ଯୁବ ପରିଷଦର ୫୦ ଜଣ ଯୁବକ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦା ପଡ଼ା ପଞ୍ଚାୟତ ବଟା ବାହାଲି ଗାଁରେ ଥିବା ବିଦ୍ୟାଳୟ ନିକଟ ରାସ୍ତାରେ ଦୀର୍ଘ ବର୍ଷ ହେବ କୌଣସି ରାସ୍ତା ନିର୍ମାଣ କିମ୍ବା ମରାମତି ହୋଇନାହିଁ । ଯାହାଦ୍ୱାରା ବର୍ଷା ଦିନରେ ଖାଲ ଖମା ହୋଇ ପାଣି ଜମି ରହି କାଦୁଅ ପଚ ପଚ ହେଉଛି । ଫଳରେ ବିଦ୍ୟାଳୟକୁ ହେଉ କି ଗ୍ରାମବାସୀଙ୍କ ଯାତାୟତ ପାଇଁ ହେଉ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । ପୂର୍ବରୁ ରାସ୍ତା ମରାମତି ଏବଂ ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପ୍ରଶାସନିକ ସ୍ତରରେ ବିଭିନ୍ନ ଜାଗାରେ ଦାବି କରିଥିଲେ ମଧ୍ୟ ତାହା ସମାଧାନ ହୋଇ ପାରିନାହିଁ । ତେଣୁ ନିଜ ଖର୍ଚ୍ଚରେ ଶ୍ରମ ଦାନ କରି ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିଥିଲା ବଟା ବାହାଲି ଗ୍ରାମରେ ଥିବା ମା ବରାଳ ଯୁବ ପରିଷଦ ଯୁବକ ସଂଘ । ଏହି ଯୁବକ ସଂଘର ପ୍ରାୟ ୫୦ ଜଣ ସଦସ୍ୟ ରାସ୍ତା ମରାମତି ପାଇଁ ଆଲୋଚନା କରିବା ସହ ନିଜେ କିଛି ଅର୍ଥ ସଂଗ୍ରହ କରି ନିଜେ ଶ୍ରମ ଦାନ କରି ରାସ୍ତା ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଟ୍ରାକ୍ଟର ସାହାଯ୍ୟରେ ୪ ରୁ ୫ ଟ୍ରିପ ପଥର ସଂଗ୍ରହ କରି ରାସ୍ତାରେ ପକାଇବା ସହ ସମସ୍ତ ପଚାଶ ଜଣ ସଦସ୍ୟ କାମରେ ଲାଗିଛନ୍ତି । କିଛି ଯୁବକ ପଥର ସଂଗ୍ରହ କରୁଥିବା ବେଳେ କିଛି ଯୁବକ ରାସ୍ତା ଉପରେ କାମ କରୁଥିବା ଦେଖିବାକୁ ମିଳିଛି । ପଥର ପକାଇବା ପରେ ବାହାରୁ ମୋରମ ଆଣି ରାସ୍ତାରେ ପକାଇ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ମା ବରାଳ ଯୁବ ପରିଷଦର ସଦସ୍ୟମାନେ । ବାରମ୍ବାର ଅଭିଯୋଗ ପରେ କେହି ପ୍ରଶାସନିକ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ଏହି ରାସ୍ତା ମରାମତି ନ କଲେ ବିଦ୍ୟାଳୟକୁ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ସହ ଅଞ୍ଚଳ ବାସୀ ଯିବା ଆସିବା ଅସୁବିଧା ହେଉଛନ୍ତି ବୋଲି କହିଛନ୍ତି ଯୁବକମାନେ । ଅନ୍ୟପଟେ ଏହି କାମକୁ ନେଇ ଅଞ୍ଚଳରେ ଯୁବକମାନଙ୍କୁ ପ୍ରଶଂସା କରାଯାଉଥିବା ବେଳେ ତୁରନ୍ତ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
What's Your Reaction?






