'ସମାଜ' ପେପର ପକ୍ଷରୁ କେସିଙ୍ଗାରେ ଭବ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା; ଶତାଧିକ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ପ୍ରଦର୍ଶନ

Jul 05, 2026 - 16:01
0 78
'ସମାଜ' ପେପର ପକ୍ଷରୁ କେସିଙ୍ଗାରେ ଭବ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା; ଶତାଧିକ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ପ୍ରଦର୍ଶନ

କେସିଙ୍ଗା, ୫/୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା):କେସିଙ୍ଗା ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଦୈନିକ 'ସମାଜ' ପକ୍ଷରୁ ଏକ ଭବ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା ଉତ୍ସାହ ଓ ଶୃଙ୍ଖଳାର ସହ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେସିଙ୍ଗା ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜ କଳାପ୍ରତିଭାର ପରିଚୟ ଦେଇଥିଲେ।
ପ୍ରତିଯୋଗିତାରେ ଗୋପବନ୍ଧୁଙ୍କ ଗ୍ରାମୀଣ ଜନଜୀବନ, ଜାତୀୟ ଏକତା ଓ ସାମାଜିକ ସଚେତନତା ଭଳି ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ରଙ୍ଗ, କଳ୍ପନା ଓ ସୃଜନଶୀଳତାର ସୁନ୍ଦର ସମନ୍ୱୟରେ ଆକର୍ଷଣୀୟ ଚିତ୍ର ଅଙ୍କନ କରିଥିଲେ। ଛୋଟ ଛୋଟ ପିଲାଙ୍କ ନିଖୁଣ କଳାକୃତି ଉପସ୍ଥିତ ଦର୍ଶକ ଏବଂ ବିଚାରକମାନଙ୍କୁ ବେଶ୍ ମୁଗ୍ଧ କରିଥିଲା।
କାର୍ଯ୍ୟକ୍ରମରେ କେସିଙ୍ଗା ଥାନାର ଅଧିକାରୀ ଅଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ପାଠପଢ଼ା ସହିତ କଳା, ସଂସ୍କୃତି ଓ ସୃଜନଶୀଳ କାର୍ଯ୍ୟକଳାପରେ ଅଂଶଗ୍ରହଣ କଲେ ଶିଶୁମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ ଏବଂ ସମାଜ ପ୍ରତି ସକାରାତ୍ମକ ଚିନ୍ତାଧାରା ଗଢ଼ିଉଠେ।
ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ବିଭୂତି ଏବଂ ରୁବି ବାରିକ ଦାୟିତ୍ୱ ତୁଲାଇଥିଲେ। ସେମାନେ ଚିତ୍ରଗୁଡ଼ିକର ସୃଜନଶୀଳତା, ବିଷୟବସ୍ତୁର ଉପସ୍ଥାପନ, ରଙ୍ଗର ବ୍ୟବହାର ଓ କଳାକୌଶଳକୁ ଆଧାର କରି ମୂଲ୍ୟାଙ୍କନ କରିଥିଲେ।
ଆୟୋଜକମାନଙ୍କ କହିବାନୁସାରେ, ଏଭଳି ସୃଜନଶୀଳ ପ୍ରତିଯୋଗିତା ଶିଶୁମାନଙ୍କ ମଧ୍ୟରେ କଳାପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କର ସୃଜନଶୀଳ ଚିନ୍ତାଧାରା, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧର ବିକାଶରେ ସହାୟକ ହୋଇଥାଏ। ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ, ସୁସଂଗଠିତ ଓ ଉତ୍ସାହମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
ପ୍ରତିଯୋଗିତା ଶେଷରେ କୁଇଜ୍ ଓ ଚିତ୍ରାଙ୍କନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଦ୍ରୋଣାଚାର୍ଯ୍ୟ ସ୍କୁଲର ଇଜାନ ବାନାର୍ଜୀ, ଦ୍ୱିତୀୟ ପୁରସ୍କାର ସରସ୍ୱତୀ ବିଦ୍ୟାମନ୍ଦିରର ତୁଷାର ଭାଟି ଏବଂ ତୃତୀୟ ପୁରସ୍କାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହର୍ଷିତା ଦାସ ହାସଲ କରିଥିଲେ। ଯୁଗ୍ମ ଭାବେ ପରେଶ ବେହେରା (ସରସ୍ୱତୀ ବିଦ୍ୟା ମନ୍ଦିର, କେସିଙ୍ଗା) ଏବଂ ମୋହିତ ଶବର (ମର୍ଶୀ ମିଶନ ଇଂଲିଶ ମିଡିୟମ ସ୍କୁଲ, ଉତ୍କେଲା)ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ମର୍ଶୀ ମିଶନ ଇଂଲିଶ ମିଡିୟମ ସ୍କୁଲର ଚୀନମୟୀ ନାଏକ, ଦ୍ୱିତୀୟ ପୁରସ୍କାର ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ସୁଶ୍ରୀ ଦିଗଲ ଏବଂ ତୃତୀୟ ପୁରସ୍କାର ଲିଟିଲ ଜିନିୟସ ସ୍କୁଲ, କେସିଙ୍ଗାର ମନମୟୀ ସ୍ୱାଇଁ ହାସଲ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବକ ଏବଂ 'ସମାଜ' ପେପରର ପ୍ରତିନିଧି ଯଯାତି କେଶରୀ ଦେଓ ଙ୍କ ସହଯୋଗ ଉଲ୍ଲେଖନୀୟ ରହିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User