ଏବିଭିପି ସଦସ୍ୟତା ଅଭିଯାନ

May 22, 2026 - 11:14
 0  17
ଏବିଭିପି ସଦସ୍ୟତା ଅଭିଯାନ

ଭବାନୀପାଟଣା ତା. ୨୧/୦୫ (ଷ୍ଟାର ନ୍ୟୁଜ ଓଡିଶା):

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପଶ୍ଚିମ ପ୍ରାନ୍ତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧ ଲକ୍ଷ ସଦସ୍ୟତା କରିବାର ଲକ୍ଷ୍ୟ ନେଇଥିବା ସୂଚନା ଦେଇଛନ୍ତି ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୦ ହଜାର ସଦସ୍ୟତା ପୂରଣ କରିବାକୁ ଏବିଭିପି ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଏବିଭିପି ରାଷ୍ଟ୍ର ପ୍ରଥମ ଭାବନା ଓ “ଛାତ୍ରଶକ୍ତି ହେଉଛି ରାଷ୍ଟ୍ରଶକ୍ତି” ନାରାକୁ ଆଧାର କରି କାର୍ଯ୍ୟ କରୁଥିବା ବିଶ୍ୱର ସବୁଠାରୁ ବଡ଼ ଛାତ୍ର ସଂଗଠନ ବୋଲି ସେ କହିଥିଲେ। ୧୯୪୯ ମସିହା ଜୁଲାଇ ୯ ତାରିଖରେ ଗଠିତ ଏହି ସଂଗଠନ ଦୀର୍ଘଦିନ ଧରି ରାଷ୍ଟ୍ରହିତ ଓ ଛାତ୍ରହିତରେ କାର୍ଯ୍ୟ କରିଆସୁଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜୁନ ମାସରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବ।
ଗତ ଏପ୍ରିଲ ୨୫ ଓ ୨୬ ତାରିଖରେ କୋରାପୁଟରେ ଆୟୋଜିତ ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଏହି ଶିକ୍ଷାବର୍ଷରେ ଏବିଭିପି ସଂପୂର୍ଣ୍ଣ ଭାବେ ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି।
ସଂଗଠନ ପକ୍ଷରୁ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ୱବିଦ୍ୟାଳୟରେ ଶାଖା ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ନଗର ଶାଖା ଘୋଷଣା କରାଯିବ। ଏହାସହ ୧୧୮ଟି ସ୍ଥାନରେ ନଗର ଶାଖା ଓ ସମ୍ବଲପୁର ଜିଲ୍ଲାରେ ୯ଟି ନଗର ଶାଖା ସହ ୫୦ଟି କ୍ୟାମ୍ପସ ଶାଖା ଗଠନର ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରେସ ବିଜ୍ଞପ୍ତିରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ, ରାଜ୍ୟ ସେବାର୍ଥେ ବିଦ୍ୟାର୍ଥୀ ସହ ସଂଯୋଜକ ରାହୁଲ ପ୍ରଧାନ, ଜିଲ୍ଲା ସହ ସଂଯୋଜକ ଦେବାଶିଷ ପଟ୍ଟନାୟକ ଓ ନଗର ସମ୍ପାଦକ ବିଶ୍ୱରଞ୍ଜନ ସିଂହ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR