କଳାହାଣ୍ଡିରୁ ଯାଉନି ଦାଦନ ଦୁଃଖ: ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ପରିବାର, ଉଦ୍ଧାର ପାଇଁ ଆକୁଳ ନିବେଦନ

Jun 2, 2026 - 12:22
 0  22
କଳାହାଣ୍ଡିରୁ ଯାଉନି ଦାଦନ ଦୁଃଖ: ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ପରିବାର, ଉଦ୍ଧାର ପାଇଁ ଆକୁଳ ନିବେଦନ

ଭବାନୀପାଟଣା, ତା. ୦୨l୦୬ (ଷ୍ଟାର ନ୍ୟୁଜ ଓଡ଼ିଶା):ଦାରିଦ୍ର୍ୟ ଓ ଜୀବିକାର ଅଭାବ ଯୋଗୁଁ କଳାହାଣ୍ଡିରୁ ଦାଦନ ଶ୍ରମିକ ଯିବା ପ୍ରବୃତ୍ତି ଆଜି ମଧ୍ୟ ଥମିନାହିଁ। ଉନ୍ନୟନର ଅନେକ ଦାବି ସତ୍ତ୍ୱେ ଅନେକ ଗରିବ ପରିବାର ଜୀବିକା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ଘଟଣା ପୁଣିଥରେ ସାମ୍ନାକୁ ଆସିଛି।
ଏଭଳି ଏକ ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତର ପରିଆଗାଁରୁ ଆସିଛି। ଗାଁର ତାରିଣୀ ମାଝୀ ଗତ ଫେବୃଆରୀ ୨୦୨୫ ମସିହାରେ ମାତ୍ର ୬୦ ହଜାର ଟଙ୍କା ଅଗ୍ରିମ ନେଇ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସହ ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ ପରିଶ୍ରମ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବାର ସ୍ୱପ୍ନ ଦେଖିଥିବା ତାରିଣୀ ଆଜି ନିରାଶା ଓ ନିର୍ଯାତନାର ଶିକାର ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ବିଗତ ୧୬ ମାସ ଧରି ତାରିଣୀ ଓ ତାଙ୍କ ପରିବାର ଇଟାଭାଟିରେ ପ୍ରାୟ ବନ୍ଧୁଆ ଶ୍ରମିକ ଭାବେ ରହିଛନ୍ତି। ସେମାନଙ୍କୁ ନିୟମିତ ମଜୁରୀ ଦିଆଯାଉନଥିବା ବେଳେ କେବଳ ଅଳ୍ପ ପରିମାଣର ରାସନ ସାମଗ୍ରୀ ଦେଇ ଦିନରାତି କାମ କରାଯାଉଥିବା ଅଭିଯୋଗ ହୋଇଛି। କାମ କରିବାକୁ ଅସମର୍ଥ ହେଲେ କିମ୍ବା ବିରୋଧ କଲେ ଠିକାଦାରଙ୍କ ପକ୍ଷରୁ ଶାରୀରିକ ନିର୍ଯାତନା ଓ ମାଡ଼ପିଟ ଦିଆଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏହି ପରିସ୍ଥିତିରେ ତାରିଣୀ ମାଝୀ ଏକ ଭିଡିଓ ବାର୍ତ୍ତା ଜାରି କରି ଓଡ଼ିଶା ସରକାର, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ କରୁଣ ନିବେଦନ କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ, ଯଦି ଶୀଘ୍ର ଉଦ୍ଧାର କରାନଯାଏ, ତେବେ ନିର୍ଯାତନା ଯୋଗୁଁ ସେମାନଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ।
ଘଟଣାଟି ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଦାଦନ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ କାହିଁକି ଏଭଳି ଘଟଣା ବାରମ୍ବାର ଘଟୁଛି, ତାହା ନେଇ ପ୍ରଶ୍ନ ଉଠିଛି। ତାରିଣୀ ମାଝୀଙ୍କ ପରିବାରକୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲାରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ, ଷ୍ଟାର ନ୍ୟୁଜ ଓଡ଼ିଶା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR