କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଂପାନ କାର୍ଯ୍ୟକ୍ରମ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ମାର୍ଗଦର୍ଶିକା ଶୀର୍ଷକ ସଂପାନ କାର୍ଯ୍ୟକ୍ରମ

Jan 16, 2026 - 19:25
0 16
କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଂପାନ କାର୍ଯ୍ୟକ୍ରମ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ମାର୍ଗଦର୍ଶିକା ଶୀର୍ଷକ ସଂପାନ କାର୍ଯ୍ୟକ୍ରମ

ଭବାନୀପାଟଣା, ୧୬/୦୧( ଷ୍ଟାର ନିୟୁଜ ଓଡିଶା )- କଳାହାଣ୍ଡି ଜିଲ୍ଲାର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଥିବା ପ୍ରତିଭାର ଖୋଜ ସହିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଇବାକୁ ହେବ। ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବିଷୟବସ୍ତୁ ଓ ପ୍ରସଙ୍ଗକୁ ନିରନ୍ତର ବିକାଶ ପ୍ରକ୍ରିୟାରେ ଅଗ୍ରାଧିକାର ଦିଆଗଲେ ଏ ଜିଲ୍ଲାର ଗୌରବ ବୃଦ୍ଧି ପାଇବ। ମୁଖ୍ୟତଃ ଏ ଜିଲ୍ଲାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବୈଭବ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ଏଥିପାଇଁ ଏକ ସୁଚିନ୍ତିତ ରୂପରେଖ ପ୍ରସ୍ତୁତି ଓ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଲେ ଆଗାମୀ ଦିନରେ ଏହା ସାରା ବିଶ୍ୱ ପାଇଁ ଉଦାହରଣୀୟ ହେବ। ଏଥିପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ଆରମ୍ଭ କରାଯାଇ ଏକ ବୃହତ୍ତର ଉଦ୍ଦେଶ୍ୟରେ ବିନିଯୋଗ କରିବା ସହିତ ସାମୁହିକ ଯୋଗଦାନର ମନୋଭାବ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ କେବଳ ସରକାରୀ, ପ୍ରଶାସନିକ ସ୍ତରରେ ନୁହେଁ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ଅବସରରେ ଆଜି ଜିଲ୍ଲାସ୍ତରୀୟ ସଂପାନ କାର୍ଯ୍ୟକ୍ରମରେ ଅତିଥିମାନେ ବକ୍ତବ୍ୟ ରଖିଛନ୍ତି। ଆଜି ସ୍ଥାନୀୟ ଟାଉନହଲଠାରେ କଳାହାଣ୍ଡିର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ମାର୍ଗଦର୍ଶିକା ଶୀର୍ଷକ ସଂପାନ ଆୟୋଜିତ ହୋଇଥିଲା। କଳାହାଣ୍ଡି ଉତ୍ସବ ସଂପାନ ଉପସମିତିର ଅଧ୍ୟକ୍ଷ ତଥା ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସଂପାନ ଉପସମିତିର ନୋଡାଲ ଅଧିକାରୀ ତଥା ଭବାନୀପାଟଣା ବିଡିଓ ଚନ୍ଦନ କୁମାର ଭୋଇ, ଉପସମିତିର ସହ-ଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ବାଲଗୋପାଳ ସେବା ନିକେତନର ଛାତ୍ରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ବିଧିବଦ୍ଧ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଡ. ସଞ୍ଜିତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପସମିତିର ଆବାହକ ଡ. ଉମେଶ ଚନ୍ଦ୍ର ଶତପଥି ସଭା ପରିଚାଳନା କରିଥିଲେ। ଆଲୋଚକ ଭାବେ ଥୁଆମୂଳ ରାମପୁରସ୍ଥିତ ମାଆ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଓ ଚସ୍ମିତ କୌର ଯୋଗଦେଇ କଳାହାଣ୍ଡିର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ମାର୍ଗଦର୍ଶିକା ଶୀର୍ଷକରେ ତଥ୍ୟପୂର୍ଣ୍ଣ ଓ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଦୀନବନ୍ଧୁ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ସଂପାନ ଉପସମିତିର ସହ-ଆବାହକ ଶେଷଦେବ ମିଶ୍ର, ସଦସ୍ୟ ସୁଢଳଦେବ ମୁଣ୍ଡ, ଦୁର୍ଗାପ୍ରସାଦ ବେହେରା, ବିଜୟ ପାତ୍ର, ସୁଧାଂଶୁ ନନ୍ଦ, ଅଶୋକ ମୁଣ୍ଡ, ଭାଗବତ ମହାପାତ୍ର, ନିରଞ୍ଜନ ଯୋଶୀ, ପ୍ରତାପ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User