କେସିଙ୍ଗା ଟାଉନରେ ବେପରୁଆ ଗତିରେ ଚାଲୁଛି ଭାରୀ ଯାନ, କଡ଼ା ପଦକ୍ଷେପ ଦାବି କଲେ ବୁଦ୍ଧିଜୀବୀ

Jun 12, 2026 - 20:36
0 26
କେସିଙ୍ଗା ଟାଉନରେ ବେପରୁଆ ଗତିରେ ଚାଲୁଛି ଭାରୀ ଯାନ, କଡ଼ା ପଦକ୍ଷେପ ଦାବି କଲେ ବୁଦ୍ଧିଜୀବୀ

କେସିଙ୍ଗା, ୧୨/୦୬ (ଷ୍ଟାର ନ୍ୟୁଜ ଓଡ଼ିଶା):କେସିଙ୍ଗା ସହରରେ ଭାରୀ ଯାନବାହନର ବେପରୁଆ ଗତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ ସମୟରେ ଭବାନୀପାଟଣା ପଟରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ବେଳେ କେସିଙ୍ଗା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ବାଇକ ଚାଳକଙ୍କ ସହ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ବାଇକ ଚାଳକ ନିଜ ରାସ୍ତାରେ ଯାଉଥିବା ସମୟରେ ଟ୍ରକଟି ଅତ୍ୟଧିକ ଗତିରେ ଆସିଥିବାରୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଉଦ୍ବେଗ ପ୍ରକାଶ ପାଇଛି।
ଏହି ଘଟଣା ପୁଣିଥରେ କେସିଙ୍ଗା ଟାଉନ ଅଞ୍ଚଳରେ ଭାରୀ ଯାନର ଅନିୟନ୍ତ୍ରିତ ଗତିକୁ ଚର୍ଚ୍ଚାକୁ ଆଣିଛି। ବିଶେଷ କରି ବୁରିଆ ଛକରୁ କାଶ୍ରୁପଡା ପର୍ଯ୍ୟନ୍ତ ବ୍ୟସ୍ତବହୁଳ ରାସ୍ତାରେ ଦିନ ଓ ରାତିରେ ଟ୍ରକ, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ୁଛି।
ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ପାଦଚାରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ଦୁଇଚକିଆ ଯାନ ଚାଳକ ଯାତାୟାତ କରୁଥିବା ବେଳେ ଭାରୀ ଯାନର ବେପରୁଆ ଗତି ସେମାନଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ସହର ମଧ୍ୟରେ ଗାଡ଼ିଗୁଡ଼ିକ ନିର୍ଦ୍ଧାରିତ ଗତିସୀମା ମଧ୍ୟରେ ଚାଲିଲେ ଦୁର୍ଘଟଣାର ସମ୍ଭାବନା ବହୁ ପରିମାଣରେ କମିପାରିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ମତ ଦେଇଛନ୍ତି।
ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦାମାନେ ପୋଲିସ ପ୍ରଶାସନକୁ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସହର ମଧ୍ୟରେ ସ୍ପିଡ଼ ଲିମିଟ୍ କଡ଼ାକଡ଼ି ଭାବେ ପାଳନ, ନିୟମିତ ଟ୍ରାଫିକ ଯାଞ୍ଚ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସଡ଼କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ସେମାନେ କହିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User