ଚାଷୀର କୃଷି ଭିତ୍ତିକ ଉଁଆଷ ପର୍ବ ପାଳିତ |।

Jul 24, 2025 - 15:44
0 126
ଚାଷୀର କୃଷି ଭିତ୍ତିକ ଉଁଆଷ ପର୍ବ ପାଳିତ |।

ଝରିଗାଁ ,୨୪l୭ (ଷ୍ଟାର ନିୟୁଜ ଓଡିଶା): କେଉଁ ପ୍ରାଚୀନ କାଳରୁ ଆଦିବାସୀମାନେ ମାଟିକୁ ମା ର ଦର୍ଜା ଦେଇ ପୂଜା କରି ଆସୁଛନ୍ତି |ମାଟି, ପାଣି, ପବନ ଓ ଜଙ୍ଗଲ ସେମାନଙ୍କ ଆରାଧ୍ୟ |ଆଦିବାସୀମାନେ ସମ୍ପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ କୃଷି ଭିତ୍ତିକ ପର୍ବ ସବୁ ପାଳନ କରିଥାନ୍ତି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ମଧ୍ୟ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଏଠାକାର ଆଦିବାସୀ ମାନେ ମଧ୍ୟ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କୃଷି ଭିତ୍ତିକ ପର୍ବ ସବୁ ପାଳନ କରୁଥିବା ଦେଖିବାକୁ ମିଲେ |ଝରିଗାଁ ବ୍ଲକରେ ପାଳିତ ହେଉଥିବା କୃଷି ଭିତ୍ତିକ ପର୍ବ ପର୍ବାଣୀ ମାନଙ୍କ ମଧ୍ୟରେ ଅକ୍ଷୟ ତୃତୀୟା, ବଲାନି ଯାତ୍ରା, ଉଁଆସ ପରବ ଓ ନୁଆଁଖାଇ ଆଦି ପ୍ରମୁଖ ପର୍ବ |ଶ୍ରାବଣ ମାସରେ ପଡୁଥିବା ଅମାବାସ୍ୟା ତିଥିରେ ଚାଷୀମାନେ ଉଁ ଆସ ପର୍ବ (ଚିତାଲାଗି ଅମାବାସ୍ୟା )ପାଳନ କରନ୍ତି |ଏହି ଦିନର ପୂର୍ବଦିନ ଗ୍ରାମର ଦେବାଦେଵୀ ମାନଙ୍କ ଉଦେଶ୍ୟରେ ଏକ ଯାତ୍ରା କରାଯାଇଥାଏ, ଯାହାକୁ ଆଞ୍ଚଳିକ ଭାଷାରେ ବଲାନି ଯାତ୍ରା ବୋଲି କୁହାଯାଏ |ବଲାନି ଯାତ୍ରାର ପରଦିନ ଅର୍ଥାତ ଅମାବାସ୍ୟା ଦିନ ଉଁଆସ ପର୍ବ ପାଳିତ ହୋଇଥାଏ |ଏହି ଦିନ ଅଂଚଳର ସମସ୍ତ ଚାଷୀ ଭୋର ସକାଳୁ ଉଠି ଗାଧୁଆ ଫାଦୁଆ ସାରି କଞ୍ଚା ଗୋରସ, ଦେଓ ବାଡ଼ନି, ରଶନା, ଦୀଉନା, ବାତ୍ରୀ, ଭେଲୁଆ,କେନ୍ଦୁ ଭଳି ବିଭିନ୍ନ ବୁଦା ସହିତ ଧୂପ, ଦୀପ ଆଦି ନୈବେଦ୍ୟ ଧରି ନିଜ ନିଜ ବିଲ ମାନଙ୍କରେ ଯାଇ ପୂଜାର୍ଚନା କରିଥାନ୍ତି |ବିଲରେ ପୂଜା ସାରି ଘରେ ଆସି ଘରର ଦେବାଦେବୀ ମାନଙ୍କୁ ପୂଜାର୍ଚନା କରିଥାନ୍ତି |ଏହି ଦିନ ଗାଁ ନରିଆ (ଗଉଡ଼ିଆ)ମାନେ ଘର ଘର ବୁଲି ଦେଓ ବାଡନି, ଦିଉନା, ରଶନା ଆଦି ବୁଦା ସବୁ ଘରର ଦୁଆର ମୁହଁ ରେ ଖୋସିଥାନ୍ତି|ବିଶ୍ୱାସ କରାଯାଏ କି ଦୁଆର ମୁହଁରେ ଏସବୁ ବୁଦା ଖୋସିବା ଦ୍ୱାରା ଘର ପରିସର ରୋଗପୋକ ମୁକ୍ତ ରହିଥାଏ|ଏହିଦିନ ଗାଁ ଠାରୁ ସହର ସବୁଆଡେ ଉଁଆସ ପର୍ବର ଛାପ ଦେଖିବାକୁ ମିଲେ |ଘରେ ଘରେ ପିଠାପଣା, ଖିରିପୁରୀ ସାଙ୍ଗକୁ ମାଛମାଂସ ର ଆସର ଜମେ |ପ୍ରତି ଗ୍ରାମରେ ଏହି ପର୍ବକୁ ବେସ ଉତ୍ସାହର ସହ ପାଳନ କରିଥାନ୍ତି |ବିଶ୍ୱାସ କରାଯାଏ କି,ଏହି ଦିନ ଜମି ରେ ପୂଜାର୍ଚନା କରି ଦେଓ ବାଡ଼ନି, ରଶନା, ଦିଉନା, ଭେଲୁଆ,ବାତ୍ରୀ, କେନ୍ଦୁ ଆଦି ବୁଦା ସବୁ ପୋତିଲେ ଜମିରେ ଭଲ ଅମଳ ହେବା ସହିତ ଚାଷରେ ରୋଗପୋକ କିଛି ଲାଗେ ନାହିଁ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User