ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ମରୁଡ଼ି ସ୍ତ୍ରୀ ଓ ପ୍ରସୂତି ସହ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି।

ଝରିଗାଁ,୧୩l୫(ଷ୍ଟାର ନିୟୁଜ ଓଡ଼ିଶା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନଥିବାରୁ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବା ପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଗର୍ଭବତୀ ଏବଂ ଛୋଟ ଛୋଟ ଶିଶୁ ସଠିକ୍ ସମୟରେ ସ୍ଵାସ୍ଥ୍ୟସେବା ନପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ୁଥିବା ନଜିର ରହିଛି।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଝରିଗାଁ ବ୍ଲକର ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି।ମିଳିଥିବା ସୂଚନା ପ୍ରକାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀଙ୍କ ସହ ଜଣେ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ୧୫ଜଣ ଏମବିବିଏସ୍ ଡାକ୍ତର ନିଯୁକ୍ତି ହେବା କଥା। କିନ୍ତୁ ବର୍ତ୍ତମାନ ମାତ୍ର ୪ଜଣ ଡାକ୍ତରଙ୍କ ଦ୍ବାରା ଚାଲିଛି ରୋଗୀସେବା।ଗତ ଦିନରେ ୬ଜଣ ଡାକ୍ତର ନିଯୁକ୍ତ ହୋଇଥିବା ବେଳେ ପ୍ରଶାସନ ତରଫରୁ ଦୁଇ ଜଣ ଡାକ୍ତରଙ୍କୁ ନବରଙ୍ଗପୁର ଡେପୁଟେସନ ଏବଂ ଅନ୍ୟ ମାନେ ଉଚ୍ଚ ଶିକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି। ମାତ୍ର ୪ଜଣ ଡାକ୍ତର ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କରିବାରେ ସମସ୍ୟା ଦେଖା ଦେଉଛି। ଅନ୍ୟପଟେ ଜଣେ ବି ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହୋଇ ନଥିବାରୁ ଗର୍ଭବତୀ, ଶିଶୁଙ୍କ ସମେତ ଗୁରୁତର ରୋଗୀଙ୍କୁ ନବରଙ୍ଗପୁର ନଚେତ୍ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଭିନ୍ନ ସମୟରେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ସ୍ଥାନାନ୍ତର ସମୟରେ ରାସ୍ତାରେ ମୃତ୍ୟୁ ଘଟୁଥିବା ନଜିର ରହିଛି।ଚଳିତ ବର୍ଷ ବ୍ଲକରେ କିଛି ଗର୍ଭବତୀ ଏବଂ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଝରିଗାଁ ବ୍ଲକର ଗର୍ଭବତୀ ଓ ଶିଶୁମାନଙ୍କୁ ତ୍ବରିତ ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତତଃ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ମାନଙ୍କ ପ୍ରସବ ହେବା କଥା କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ କେବଳ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଧୋଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ହେଉଛି।ବଳକା ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଇଛାପୁର, ଫୁଫୁଗାଁ,ବେଲଗାଁ,କଦଭଟ୍ଟା ଠାରେ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ପ୍ରସବ କକ୍ଷ ଆରମ୍ଭ ହୋଇନାହିଁ।ଗର୍ଭବତୀ ମାନଙ୍କ ଘରେ ପ୍ରସବ କମାଇବା ସହ ମାତୃ ଓ ଶିଶୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପ୍ରସବ କକ୍ଷ ଖଳିବା ପାଇଁ ଦାବି ହୋଇଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ
What's Your Reaction?






