ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ କେସିଙ୍ଗାରେ ଛାତ୍ର ଆକ୍ରୋଶ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ୪ ଦଫା ଦାବିପତ୍ର ପ୍ରଦାନ

Jul 23, 2026 - 17:03
0 46
ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ କେସିଙ୍ଗାରେ ଛାତ୍ର ଆକ୍ରୋଶ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ୪ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା, ୨୩/୭ (ଷ୍ଟାରନ୍ୟୁଜ ଓଡ଼ିଶା): ନିଟ୍‌ (NEET) ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପକ୍ଷରୁ ଗୁରୁବାର ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେସିଙ୍ଗା ୟୁଥ୍‌ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ ଦଫା ଦାବିପତ୍ର ପ୍ରଦାନ ସହ ପଦଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସକାଳ ପ୍ରାୟ ସାଢ଼େ ୯ଟାରେ ସହରର ଜଗନ୍ନାଥ ମନ୍ଦିର ପରିସରରୁ ଛାତ୍ରଛାତ୍ରୀ, ଯୁବକ ଓ ମହିଳା ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା ଆରମ୍ଭ କରିଥିଲେ। ପଦଯାତ୍ରାଟି ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତୀବ୍ର ନିନ୍ଦା କରାଯାଇଥିଲା।
ପ୍ରତିବାଦକାରୀମାନେ ଦାବି କରିଥିଲେ ଯେ, ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିସହ ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ସୁନିଶ୍ଚିତ କରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସରକାରଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ ଦିଲ୍ଲୀର ଯନ୍ତରମନ୍ତରରେ ଚାଲିଥିବା ଶିକ୍ଷା ସମ୍ବନ୍ଧୀୟ ଆନ୍ଦୋଳନ ପ୍ରତି ମଧ୍ୟ ସମର୍ଥନ ଜଣାଇଥିଲେ। ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ଦାବିରେ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିବା କେସିଙ୍ଗା ୟୁଥ୍‌ ଆସୋସିଏଶନ ପକ୍ଷରୁ ପ୍ରକାଶ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User