ଶୁଣିଲାଣି ପ୍ରଶାସନ, ଗ୍ରାମ ଫାଣ୍ଠି ଟଙ୍କାରେ ଏକ କିଲୋମିଟର ରାସ୍ତା ମରାମତି କଲେ ଗ୍ରାମବାସୀ ।

Sep 12, 2025 - 20:07
0 96
ଶୁଣିଲାଣି ପ୍ରଶାସନ, ଗ୍ରାମ ଫାଣ୍ଠି ଟଙ୍କାରେ ଏକ କିଲୋମିଟର ରାସ୍ତା ମରାମତି କଲେ ଗ୍ରାମବାସୀ ।

ଝରିଗାଁ,୧୨l୯(ଷ୍ଟାର ନିୟୁଜ ଓଡିଶା): ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନ ଆଗରେ ଗୁହାରି କରିବା ପରେ ମଧ୍ୟ ଶୁଣିଲାନି ପ୍ରଶାସନ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଗ୍ରାମ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଏକ କିଲୋମିଟର ବିଶିଷ୍ଟ ରାସ୍ତା ମରାମତି କରିଛନ୍ତି। ପ୍ରଶାସନ ଉପରୁ ଆସ୍ଥା ହରାଇବା ପରେ ଏଭଳି ପ‌ଦକ୍ଷେପ ଗ୍ରହଣ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତ ଅନ୍ତର୍ଗତ ଯାମଢ଼ୋଡା ଗ୍ରାମର ଗ୍ରାମବାସୀ। ସୂଚନା ଅନୁଯାୟୀ, ବହୁ ବର୍ଷ ତଳେ ସାନ୍ତା ଓ ହରିଜନ ସମ୍ପ୍ରଦାୟର କିଛି ଲୋକ ଜୀବନ ଜୀବିକା ପାଇଁ ଏଠାରେ ବସତି ସ୍ଥାପନ କରିଥିଲେ।ଯାମଢ଼ୋଡା ଗ୍ରାମର ଚାରିଟି ସାହିରେ ବର୍ତ୍ତମାନ ୬୦ରୁ ଊର୍ଦ୍ଧ୍ବ ସାନ୍ତା ପରିବାର ରହୁଥିବା ବେଳେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଅଦ୍ୟାବଧି ଏହି ଗାଁକୁ ପକ୍କା ରାସ୍ତା ନିର୍ମାଣ ହେଉ ନଥିବାରୁ ଯାତାୟାତ ସମୟରେ ଗ୍ରାମବାସୀ ହଇରାଣ ହେଉଛନ୍ତି।ପୂଜାରୀଗୁଡ଼ା ଗ୍ରାମ ଠାରୁ ଯାମଢ଼ୋଡା ଗ୍ରାମ ଏକ କିଲୋମିଟର ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଦାବି କରି ଆସୁଥିଲେ।ବହୁବାର ଦାବି ପରେ ଗତ କିଛି ବର୍ଷ ତଳେ ପ୍ରଶାସନ ପକ୍ଷରୁ ପୂଜାରୀଗୁଡ଼ା ଗ୍ରାମ ଠାରୁ ଯାମଢ଼ୋଡା ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହୋଇଥିଲା।କିନ୍ତୁ ତିନି ବର୍ଷ ତଳେ ବର୍ଷା ଯୋଗୁ ରାସ୍ତା ଖରାପ ହୋଇଯାଇଥିଲା। ରାସ୍ତା ସାରା ବର୍ଷା ଯୋଗୁଁ ଗର୍ତ୍ତ ସୃଷ୍ଟି ହୋଇ ତହିଁରେ ପାଣି ଭର୍ତି ଥିବାରୁ ବାଇକ୍‌ ଯିବା ମଧ୍ୟ କଷ୍ଟକର ହେଉଛି। ଏଭଳି ପରିସ୍ଥିତିରେ ରୋଗୀ ଓ ଗର୍ଭବତୀଙ୍କୁ ଏକ କିଲୋମିଟର ଖଟିଆରେ ବୋହି ପୂଜାରୀଗୁଡ଼ା ଛକ ଯାଏ ନେବା ପରେ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ।ରାସ୍ତା ଖରାପ ଥିବାରୁ ବିଭିନ୍ନ ସମୟରେ ରୋଗୀ ଓ ଗର୍ଭବତୀ ସଠିକ ସମୟରେ ଚିକିତ୍ସା ପାଇ ପାରୁନଥିଲେ। ପକ୍କା ରାସ୍ତା ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ପଡ଼ୁଥିବା କାରଣରୁ ଏହାର ସମାଧାନ ପାଇଁ ଗ୍ରାମର ଚଲାନ ବୁଦୁରାମ ସାନ୍ତାଙ୍କ ସଭାପତିତ୍ୱରେ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାସ୍ତା ମରାମତି ପାଇଁ ଗ୍ରାମ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବା ସହ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କିଛି ପରିବାରଠାରୁ ଟଙ୍କା ଆଦାୟ ହେବା ପରେ ଗତକାଲି ଗ୍ରାମବାସୀଙ୍କ ସହାୟତାରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସୁଦ୍ଧା ପ୍ରାୟ ଅଧା କିଲୋମିଟର ରାସ୍ତା ମରାମତି ହୋଇଥିବା ବେଳେ ଅବଶିଷ୍ଟ ଆସନ୍ତାକାଲି କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।ସେହିପରି ଗ୍ରାମରେ ଏକ ମାତ୍ର ପୋଖରୀ ଥିବା ବେଳେ ଖରାଦିନ ଗୁଡିକରେ ପାଣି ରହୁନାହିଁ ଓ ବର୍ଷାଦିନ ଗୁଡିକରେ ଅନାବନା ଗଛ ଯୋଗୁଁ ବ୍ୟବହାର ଉପଯୋଗୀ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସେହିପରି ଗ୍ରାମ୍ୟ ସ୍ମଶାନ ଯିବା ଆସିବା ପାଇଁ ରାସ୍ତା ନଥିବା ଯୋଗୁଁ ଜମି ହୁଡା ଦେଇ ଯାତାୟତ କରିବା ପାଇଁ ପଡୁଥିବା ଅଭିଯୋଗ ହୋଇଛି।ତେଣୁ ପ୍ରଶାସନ ତୁରନ୍ତ ଯାମଢ଼ୋଡା ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ପଳୁ ସାନ୍ତା, ଦୈତାରୀ ସାନ୍ତା, ଡମୁ ସାନ୍ତା, ଧନିରାମ ସାନ୍ତା, ରଘୁ ସାନ୍ତା, କୁମ ସାନ୍ତା, ଏକି ଳ ସାନ୍ତା, ସୁବାସ ସାନ୍ତା, କମଳସାଏ ସାନ୍ତା, ବୀଣା ହରିଜନ, ଦୁଃର୍ଜ ହରିଜନ, ହରି ସାନ୍ତା, ହରିଶ୍ଚନ୍ଦ୍ର ସାନ୍ତା, ମୋହନ ସାନ୍ତା,ଜଳ ସାନ୍ତା ପ୍ରମୁଖ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User