୩୬ ବର୍ଷର ଗୌରବମୟ ଶିକ୍ଷକ ଜୀବନର ଅବସାନ : ଅଁଳାଭଟାର ବରିଷ୍ଠ ଶିକ୍ଷକ ମଦନ ଖମାରୀଙ୍କୁ ଭାବବିହ୍ୱଳ ବିଦାୟ
ଜୟପାଟଣା, ୬ ଅଗଷ୍ଟ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ମଦନ ଖମାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ସେ ଏହି ବିଦ୍ୟାଳୟରେ ନିଷ୍ଠା, ଶୃଙ୍ଖଳା ଓ ସମର୍ପଣର ସହ ଶିକ୍ଷାଦାନ କରି ଏହି ବିଦ୍ୟାଳୟରୁ ହିଁ କର୍ମଜୀବନରୁ ଅବସର ଗ୍ରହଣ କରିଛନ୍ତି।
ଉତ୍ସବରେ ପୂର୍ବତନ ସରପଞ୍ଚ ଶ୍ରୀ ଚୁଡ଼ାମଣି ନାଏକ ସଭାପତିତ୍ୱ କରିଥିବା ବେଳେ, କୁକୁଡ଼ି ଗୌନ୍ତିଆ ଶ୍ରୀ ଧନଞ୍ଜୟ ନେଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ମାନସ ପାତ୍ର ଉପସ୍ଥିତ ରହିଥିଲେ। ଏହାଛଡ଼ା ବିଦ୍ୟାଳୟର ସମସ୍ତ ସହକର୍ମୀ ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀ ଖମାରୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ।
ବକ୍ତାମାନେ ତାଙ୍କର ସରଳ ବ୍ୟକ୍ତିତ୍ୱ, କର୍ତ୍ତବ୍ୟନିଷ୍ଠା ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରି କହିଥିଲେ ଯେ, ତାଙ୍କ ଶିକ୍ଷାଦାନରେ ଗଢ଼ିଉଠିଥିବା ଅନେକ ଛାତ୍ରଛାତ୍ରୀ ଆଜି ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ତାଙ୍କ ଅବଦାନ ଅଁଳାଭଟା ଗ୍ରାମର ଶିକ୍ଷା ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ଶ୍ରୀ ବିରଞ୍ଜନ ନାୟକ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ପୂର୍ବତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସହକର୍ମୀମାନଙ୍କ ସହଯୋଗରେ ବାଦ୍ୟଯନ୍ତ୍ରର ତାଳେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ଏବଂ ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରତି ଗ୍ରାମବାସୀଙ୍କ ଅକୁଣ୍ଠ ସମ୍ମାନର ପରିଚୟ ଦେଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)