କୁଟିଲିଙ୍କୁ କେବେ ମିଳିବ ଆବାସ ଘର?

Oct 8, 2025 - 22:24
 0  193
କୁଟିଲିଙ୍କୁ କେବେ ମିଳିବ ଆବାସ ଘର?

ଫିରିଙ୍ଗିଆ,୮l୧୦ (ଷ୍ଟାର ନିୟୁଜ): ସରକାର ଗରିବ, ଖଟିଖିଆ, ଦିନ ମଜୁରୀଆ, ଓ ଅସହାୟ ତଥା ନିରାଶ୍ରୟ ଜନସାଧାରଣଙ୍କ ମୁଣ୍ଡରେ ଛାତ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି ।ଏହି ଯୋଜନା ବର୍ଷ ପରେ ବର୍ଷ ଚାଲୁରହିଛି ଓ ସରକାର ମଧ୍ୟ କେଁଉ ବର୍ଷରେ କେତେ ହିତାଧିକାରୀଙ୍କୁ ଛାତ ଘର ଯୋଗେଇ ଦେଲେ ତାର ହିସାବ ମଧ୍ୟ ରହିବା ସହିତ ସର୍ବ ସାଧାରଣରେ ଉପସ୍ଥାପନା ମଧ୍ୟ କରୁଛନ୍ତି ।ହେଲେ ପ୍ରକୃତ ହିତାଧିକାରୀ (ଯେଉଁ ମାନଙ୍କ ପାଇଁ ଏହି ଯୋଜନାଟି ଉଦ୍ଧିଷ୍ଟ )ପାଉଛନ୍ତି କି ନାହିଁ ତାହାର କିନ୍ତୁ ସରକାରଙ୍କ ପାଖରେ ହିସାବ ନାହିଁ |ପ୍ରକୃତ ହିତାଧିକାରୀ ମାନେ ଦୟନୀୟ ଭାବେ କାଳାତିପାତ କରୁଥିବା ବେଳେ ମଧ୍ୟବିତ୍ତ ଓ ଧନୀ ଶ୍ରେଣୀର ଲୋକେ ଏହି ଯୋଜନାରେ ନିଜକୁ ସାମିଲ କରି ଘର ସବୁ ଝାମ୍ପି ନେଉଛନ୍ତି । ଯାହା ଫଳରେ ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି ଏକ ପ୍ରକାର ଓ କାଗଜ କଲମରେ ହିସାବ ହେଉଛି ଅନ୍ୟ ପ୍ରକାର । ବ୍ଳକ ସ୍ତରରେ ଥିବା ଅଧିକାରୀ ଓ କର୍ମଚାରୀ ଓ ଜନପ୍ରତିନିଧି (ବିଡ଼ିଓ, ଏବିଡିଓ, ଜିପିଓ,ପିଇଓ,ଜିଲ୍ଲା ପରିଷଦ,ସରପଞ୍ଚ, ସମିତି ସଭ୍ୟ )ମାନେ ମଧ୍ୟ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସହିତ ଶଳାସୁତରା ହୋଇ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଅପ୍ରକୃତ ହିତାଧିକାରୀ ମାନଙ୍କୁ ତାଲିକାଭୁକ୍ତ କରି ଘରସବୁ ବାଣ୍ଟି ଚାଲିଛନ୍ତି । ନିହାତି ଗରିବ ଶ୍ରେଣୀର ଜନସାଧାରଣ ପ୍ରଶାସନ ଓ ଜନ ପ୍ରତିନିଧି ପାଖରେ ଯେତେ ଗୁହାରୀ କଲେ ମଧ୍ୟ ସେମାନଙ୍କ କୌଣସି କଥା ଶୁଣା ଯାଉନି । ସେମାନଙ୍କୁ ଖାଲି ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି । ଦିନ ମାସ ବର୍ଷ ଏମିତି ଗଢି ଗଢି ଯାଉଛି ସିନା ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କ ଦ୍ୱାରା ଦିଆ ଯାଇଥିବା ପ୍ରତିଶୃତି କିନ୍ତୁ ପୁରଣ ହେଉନି ।ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କୋଇଲିମାଣ୍ଡୁ ପଂଚାୟତ ଅନ୍ତର୍ଗତ ପାଦେରିପଡା ଗ୍ରାମରୁ । ଗ୍ରାମରେ ବସବାସ କରୁଛନ୍ତି କୁଟିଲି କହଁର ନାମକ ଜଣେ ୮୦ ବର୍ଷୀୟା ବୃଦ୍ଧା ମହିଳା । ତାଙ୍କର ନିଜ ଲୋକ କହିଲେ କେହି ନାହାନ୍ତି । ଅନେକ ବର୍ଷ ତଳେ ସ୍ୱାମୀ ମଧ୍ୟ ଏକା ଛାଡ଼ିଦେଇ ଆରପାରିକୁ ଚାଲିଗଲେ ।ଏକ ଭଙ୍ଗା କୁଡ଼ିଆରେ କିଛି ଟିଣ ଓ ଜରି ପାଳ ପକେଇ ମୁଣ୍ଡ ଗୁଂଜିଛି ବୃଦ୍ଧା ।ଘର କାନ୍ଥଟି କିଛି କାଠ ପାଳିଆରେ ତିଆରି । କାନ୍ଥରେ ମାଟି ଲେପନ ହୋଇ ନଥିବାରୁ ସାପ, ବିଛା ଭଳି ବିଭିନ୍ନ ସରୀସୃପ ଭିତରେ ପଶି କାମୁଡି ଦେବା ଭୟ ସବୁବେଳେ ରହୁଛି ।

ଏହି କୁଡ଼ିଆ ଭିତରେ ବୃଦ୍ଧା ଜଣକ ଖରା, ବର୍ଷା ଓ ଶୀତ ଋତୁରେ ଦିନ କାଟୁଛି ।କହିବାକୁ ଗଲେ ଏକ ପ୍ରକାର ଅଭିଶପ୍ତ ଜୀବନ କାଟୁଛି କୁଟିଲି ।ସରକାରୀ ସୁବିଧା କହିଲେ ମାତ୍ର ୩୫ କେଜି ଚାଉଳ ସାଙ୍ଗକୁ ୧୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ।ସରକାରଙ୍କ ପ୍ରତିଶୃତି ମୁତାବକ ସେ ମାସକୁ ୩୦୦୦ଟଙ୍କା ଭତ୍ତା ପାଇବା କଥା ହେଲେ ତାହା ବି ତା ଭାଗ୍ୟରେ ଏଯାଏ ଜୁଟିନି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ପଞ୍ଚଯାତର ସରପଞ୍ଚ, ପିଇଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବାରମ୍ବାର ଗୁହାରୁଛି, ହେଲେ ତାର ଦୁଃଖର ନିବେଦନକୁ କେହି ହେଲେ କର୍ଣ୍ଣପାତ କରୁନଥିବା ବଡ଼ ଦୁଃଖର ସହ କହୁଛି । କେତେବେଳେ ଯଦି କୌଣସି ଜନ ପ୍ରତିନିଧି କିମ୍ବା ପଞ୍ଚାୟତ ଓ ବ୍ଳକ କର୍ମଚାରୀ ମାନଙ୍କ ସହ ଦେଖାହେଲେ ତା ଦୁଃଖର କାହାଣୀ ବଖାଣୁଛି ଓ ମୋତେ ଘର ଖଣ୍ଡେ ଦିଅ ବୋଲି ହାତ ଯୋଡୁଛି, ହେଲେ ଅଧିକାରୀ, କର୍ମଚାରୀ ଓ ଜନ ପ୍ରତିନିଧି ତାକୁ କେବଳ ପ୍ରତିଶୃତି ହିଁ ଦେଇଚାଲିଛନ୍ତି ସିନା ଏଯାଏ ତା ପାଖରେ ପହଂଚି ତାର ଘରର ଅବସ୍ଥା ଦେଖି ନାହାନ୍ତି ଓ ସେ ୩୫ କିଲୋ ଚାଉଳ ଓ ୧୦୦୦ ଟଙ୍କା ଭତ୍ତା ପଇସାରେ କେମିତି ଗୁଜୁରାଣ ମେଣ୍ଟାଉଛି କେହି ହେଲେ ଜାଣିବାକୁ ଚାହିଁ ନାହାନ୍ତି।ଏହି ଖବରଟି କୁଏରି ମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲଙ୍କ କର୍ଣ୍ଣରେ ପଡିବା ପରେ ନିଜ ସ୍ତ୍ରୀ ସସ୍ମିତା ଦିଗାଲଙ୍କ ସହ କୁଟିଲିଙ୍କ ଘରେ ପହଂଚି ଘର ର ଅବସ୍ଥା ଅନୁଧ୍ୟାନ କରିବା ସହିତ ଖାଇବା ଚଳିବା ବିଷୟରେ ପଚାରି ବୁଝିଥିଲେ। ପରେ ଜଣେ ସମିତି ସଭ୍ୟ ହିସାବରେ ମୁଁ ତୁମ ଦୁଃଖ ବିଷୟରେ ପ୍ରଶାସନକୁ ଜଣେଇବି ଓ ଘର ଆଉ ପେନସନ ପାଇଁ ଅନୁରୋଧ କରିବି ବୋଲି ପ୍ରତିଶୃତି ଦେଇଥିଲେ ।କେବେ ଯେ ତାଙ୍କ ପ୍ରତିଶୃତି ପୁରା କରିବେ ତାହା ଭଗବାନଙ୍କୁ ଜଣା? ତେବେ ଏହି ବୁଢ଼ୀମା କେବେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇ ଘର ଖଣ୍ଡେ ପାଇବ ତାହା ହିଁ ଦେଖିବାକୁ ବାକି ରହିଲା?

What's Your Reaction?

like

dislike

love

funny

angry

sad

wow