ଡାକ୍ତର ସଂଘ 'ଓମ୍ସା'ର ଅନିର୍ଦ୍ଦିଷ୍ଟକାଳୀନ କାର୍ଯ୍ୟବନ୍ଦ : କଳାହାଣ୍ଡିରେ OPD ସେବା ବାଧାପ୍ରାପ୍ତ, ରୋଗୀ ହନ୍ତସନ୍ତ
ଭବାନୀପାଟଣା, ତା.୪l୭(ଷ୍ଟାର ନ୍ୟୁଜ୍ ଓଡ଼ିଶା): ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA) ପକ୍ଷରୁ ୧୦ ଦଫା ଦାବି ପୂରଣ ଦାବିରେ ଚାଲିଥିବା ରାଜ୍ୟବ୍ୟାପୀ ଆନ୍ଦୋଳନର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ସରକାରୀ ଡାକ୍ତରମାନେ ଅନିର୍ଦ୍ଦିଷ୍ଟକାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ଭବାନୀପାଟଣାସ୍ଥିତ CDMO କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିବାରୁ ଜିଲ୍ଲାର ସାଧାରଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଭାବିତ ହୋଇଛି।
ଆନ୍ଦୋଳନ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାହ୍ୟ ରୋଗୀ ବିଭାଗ (OPD) ସେବା ପ୍ରାୟ ଠପ୍ ହୋଇଯାଇଛି। ପ୍ରତିଦିନ ଚିକିତ୍ସା ପାଇଁ ଆସୁଥିବା ଶତାଧିକ ରୋଗୀ ଡାକ୍ତରଙ୍କୁ ନ ପାଇ ନିରାଶ ହୋଇ ଫେରୁଥିବା ଦେଖାଯାଇଛି। ବିଶେଷକରି ଦୂରଦୂରାନ୍ତର ଅଞ୍ଚଳରୁ ଆସିଥିବା ରୋଗୀ ଓ ସେମାନଙ୍କ ପରିବାର ଲୋକେ ବେଶି ହଇରାଣ ହେଉଛନ୍ତି।
ଆନ୍ଦୋଳନରତ ଡାକ୍ତରମାନଙ୍କ କହିବା ଅନୁସାରେ, ସେମାନଙ୍କ ୧୦ ଦଫା ଦାବି ଦୀର୍ଘଦିନ ଧରି ସରକାରଙ୍କ ନଜରରୁ ଦୂରେ ରହିଥିବାରୁ ବାଧ୍ୟ ହୋଇ ସେମାନେ ଏହି କଠୋର ପଦକ୍ଷେପ ନେଇଛନ୍ତି। ସରକାର ସକାରାତ୍ମକ ଆଲୋଚନା ଓ ଦାବି ପୂରଣ ଦିଗରେ ପଦକ୍ଷେପ ନେଲେ ଆନ୍ଦୋଳନ ପ୍ରତ୍ୟାହାର ନେଇ ବିଚାର କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି।
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥି କହିଛନ୍ତି ଯେ, ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ସତ୍ତ୍ୱେ ଜରୁରୀ ସ୍ୱାସ୍ଥ୍ୟସେବାକୁ ବଜାୟ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କାଜୁଆଲଟି ଓ ଆପାତକାଳୀନ ଚିକିତ୍ସା ସେବା ସ୍ୱାଭାବିକ ଭାବେ ଚାଲୁ ରହିଛି। ତେବେ ଆନ୍ଦୋଳନ ଦୀର୍ଘସ୍ଥାୟୀ ହେଲେ ସ୍ୱାସ୍ଥ୍ୟସେବା ଉପରେ ଏହାର ପ୍ରଭାବ ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।
ସରକାର ଓ ଡାକ୍ତର ସଂଘ ମଧ୍ୟରେ ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ ବାହାରିବ ବୋଲି ସାଧାରଣ ଲୋକେ ଆଶା ପ୍ରକାଶ କରୁଛନ୍ତି, ଯାହାଦ୍ୱାରା ରୋଗୀମାନେ ପୁଣି ସ୍ୱାଭାବିକ ଭାବେ ଚିକିତ୍ସା ସେବା ପାଇପାରିବେ l
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)