ନାହାଁନ୍ତି ଆଖି ଚିକିତ୍ସା ସହାୟକ,ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି।

ଝରିଗାଁ,୨୮l୪(ଷ୍ଟାର ନିୟୁଜ ଓଡ଼ିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ରୋଗୀ ମାନଙ୍କୁ ନିକଟରେ ଓ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କର୍ମଚାରୀ ନିଯୁକ୍ତି କରାଯାଇଛି।ସେହିଭଳି ବିଭିନ୍ନ ରୋଗୀଙ୍କ ପରୀକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।ତେବେ କିଛି ବିଭାଗର କର୍ମଚାରୀ ଅଭାବ ଯୋଗୁଁ ଯନ୍ତ୍ରପାତି ଗୁଡିକ ବ୍ୟବହାର ହୋଇ ପାରୁନଥିବା ବେଳେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଖତ ଖାଉଥିବା ଦେଖିବାକୁ ମିଳିଛି।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ରୋଗୀ ମାନଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ଉପଲବ୍ଧ ଥିବା ବେଳେ ଆଖି ଚିକିତ୍ସା ସହାୟକ(Ophthalmic assistant)ପଦ ଖାଲି ଥିବା ଯୋଗୁଁ ବର୍ଷ ବର୍ଷ ଧରି ଯନ୍ତ୍ରପାତି ଗୁଡିକ ବ୍ୟବହାର ନହୋଇ ଖଳାମେଳାରେ ପଡି ରହିଛି।ସରକାରଙ୍କ ସୁନେତ୍ର ଯୋଜନା ସଫଳ ରୂପାୟନ ହେବାରେ ସମସ୍ୟା ଦେଖାଦେଇଛି।ଆଜିକୁ ପ୍ରାୟ ପାଞ୍ଚ ବର୍ଷ ତଳେ ଝରିଗାଁ ବ୍ଳକର ଚକ୍ଷୁ ରୋଗୀ ମାନଙ୍କ ଚିକିତ୍ସାରେ ସହାୟକ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚକ୍ଷୁ ପରୀକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚକ୍ଷୁ ପରୀକ୍ଷା ପାଇଁ ବିଭିନ୍ନ ଯନ୍ତ୍ରପାତି ଅଣାଯାଇଥିଲା।ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚକ୍ଷୁ ପରୀକ୍ଷା ପାଇଁ ନୂତନ ଗୃହ ନିର୍ମାଣ କରାଯାଇଛି।ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଖି ଚିକିତ୍ସା ସହାୟକ ଭାବେ କୌଣସି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ।ଚକ୍ଷୁ ପରୀକ୍ଷା ପାଇଁ ବିଭିନ୍ନ ଯନ୍ତ୍ରପାତି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆସିବାର କିଛି ମାସ ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଖି ଚିକିତ୍ସା ସହାୟକ ଦୁଇ ମାସ ମଧ୍ୟରେ କିଛି ଦିନ ଆସି ଚକ୍ଷୁ ପରୀକ୍ଷା କରି ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉ ଥିବା ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।ତାପର ଠାରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଆଖି ଚିକିତ୍ସା ସହାୟକ ନିଯୁକ୍ତି ହୋଇ ନଥିବା ଯୋଗୁଁ ଯନ୍ତ୍ରପାତି ଗୁଡିକ ବ୍ୟବହାର ନହୋଇ ଧୁଳି ଧୁସର ହୋଇ ପଡି ଥିବା ବେଳେ ଚକ୍ଷୁ ରୋଗୀ ମାନେ ମଧ୍ୟ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।ଝରିଗାଁ ବ୍ଲକରେ ବହୁ ଚକ୍ଷୁ ରୋଗୀ ରହିଥିବା ବେଳେ ଏଠାରେ କୌଣସି ସୁବିଧା ନଥିବା ଯୋଗୁଁ ରୋଗୀ ମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବା ସହ ଅନ୍ୟ ଡ଼ାକ୍ତରଖାନା ଉପରେ ନିର୍ଭର କରିବା ପାଇଁ ପଡୁଛି।ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି।ଘଟଣା ନେଇ ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକରୀ ଅରବିନ୍ଦ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ଦିନ ତଳେ ଆଖି ଚିକିତ୍ସା ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି।ସପ୍ତାହର ସବୁ ଶୁକ୍ରବାର ଦିନ ଚକ୍ଷୁ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେବା ସହ ଆସନ୍ତା ଶୁକ୍ରବାର ଠାରୁ ନିୟମିତ ଭାବେ ସପ୍ତାହକୁ ଥରେ ଶୁକ୍ରବାର ଦିନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






