ପାରମ୍ପରିକ ଲୋକ କଳା ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସଚେତନତା।

Sep 13, 2025 - 19:18
0 100
ପାରମ୍ପରିକ ଲୋକ କଳା ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସଚେତନତା।

ଟିକାବାଲି,୧୩l୯(ଷ୍ଟାର ନିୟୁଜ): ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପ୍ରତି ଗୋଷ୍ଠୀଗତ ସାମାଜିକ ଦାୟିତ୍ୱବୋଧ, ମାନସିକ ଅସୁସ୍ଥତାକୁ ନେଇ ଥିବା ଭୁଲ୍ ଧାରଣା, ଗୁଣିଗାରେଡି ଚିକିତ୍ସା ଏବଂ ମାନସିକ ଅସୁସ୍ଥଙ୍କ ସୁସ୍ଥତା ପାଇଁ ଥିବା ସରକାରୀ ଚିକିତ୍ସା ସେବା ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ମିଳିତ ସହାୟତା ରେ ଟିକାବାଲି ଓ କ.ନୂଆଗାଁ ବ୍ଲକ୍ର ବିଭିନ୍ନ ଗ୍ରାମରେ ପାରମ୍ପରିକ ଲୋକ କଳା ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଚାଲିଥିବା ଏହି ଭ୍ରାମ୍ୟମାଣ କାର୍ଯ୍ୟକ୍ରମକୁ ଗାୟକ ବିଜେନ୍ଦ୍ର ପ୍ରଧାନଙ୍କ ମା ଡୁମୁରିଦେଇ ସତ୍ୟନାରାୟଣ ପାଲା ଅନୁଷ୍ଠାନ ପରିବେଷଣ କରିଥିଲେ । ପ୍ରଥମେ ଟିକାବାଲି ବ୍ଲକ୍ର ପାଡାଙ୍ଗୀ ଠାରେ ଘୁ.ଉପୟଗିରିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାନସିକ ସ୍ୱାସ୍ଥ୍ୟ ଦିଗରେ ଲୋକମାନଙ୍କର ସଚେତନତାର ବହୁତ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏହି ପାଲା ଦଳ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ଅସୁସ୍ଥତା ଯୋଗୁଁ ସଂପୃକ୍ତ ବ୍ୟକ୍ତି ଏବଂ ତାର ପରିବାର ଭୋଗ କରୁଥିବା ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିବା ସହ ଏଥିସହ ଯୋଡି ହୋଇ ରହିଥିବା ଗୁଣିଗାରେଡି ଓ ଅନ୍ଧ ବିଶ୍ୱାସ ମୂଳକ ଧାରଣା ଯୋଗୁଁ କିପରି ବ୍ୟକ୍ତି ଓ ପରିବାର ଶାରିରୀକ ଓ ଆର୍ଥିକ ସମସ୍ୟାର ସମୁଖିନ ହେଉଛନ୍ତି ତାହା ଲୋକ ମାନଙ୍କୁ ଜଣାଉଥିଲେ । ମାନସିକ ଅସୁସ୍ଥତା ଏକ ରୋଗ ହୋଇଥିବାରୁ ଏହାର ଚିକିତ୍ସା ହୋଇପାରୁଛି ଏବଂ ଚିକିତ୍ସିତ ବ୍ୟକ୍ତିମାନେ ସାଧାରଣ ଜୀବନ ଅତିବାହିତ କରିପାରୁଛନ୍ତି । ବର୍ତମାନ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ଏବଂ ମାନସିକ ଅସୁସ୍ଥଙ୍କୁ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ଗୋଷ୍ଠୀର ସମସ୍ତଙ୍କ ସାମାଜିକ ଦାୟିତ୍ୱ ରହିଛି ବୋଲି ପାଲାକାର ମାନେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ । ଏହି ପାଲା ଦଳ ପାଡାଙ୍ଗୀ, ଗୁଟିଙ୍ଗିଆ, ସାରଙ୍ଗଡ, ପିକରଡି, ଟିକାବାଲି ଏବଂ କଟିମାହା ପଂଚାୟତର ବିଭିନ୍ନ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍ୱାତୀ କର୍ମୀ ଗିରିଶ ଚନ୍ଦ୍ର ସାମଲ୍ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଆଲୋକ ସାମନ୍ତରାଏ ଓ ଦିପେସ୍ ମହାକୁଡ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User