ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ।

Nov 12, 2025 - 21:51
0 110
ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ।

ଫିରିଙ୍ଗିଆ,୧୨l୧୧ (ଷ୍ଟାର ନିୟୁଜ): ଅବଡାଖବଡା ରାସ୍ତା ସାଙ୍ଗକୁ ରାସ୍ତା ମଝୀରେ ନଈନାଳ ପଡୁଥିବାରୁ ଉପାନ୍ତରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ପ୍ରଶାସନକୁ ପକ୍କା ରାସ୍ତା ସାଙ୍ଗକୁ ନଈ ଓ ନାଳରେ ଶଙ୍ଖ ଓ ବ୍ରିଜ ନିର୍ମାଣ ପାଇଁ ଅଂଚଳବାସୀ ଯେତେ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ।ଫଳରେ ଉପାନ୍ତ ଅଞ୍ଚଳବାସୀଙ୍କ ଦୁଃଖ ଲାଗିରହିଛି ।ଅନ୍ୟସବୁ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅତ୍ୟାଧୁନିକ ଜୀବନ ଶୈଳୀରେ ଜୀବନ ଯାପନ କରୁଥିବା ବେଳେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଭିଶପ୍ତ ଜୀବନ ଜିଉଁଛନ୍ତି ।ଅଞ୍ଚଳର ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଖଟିଆକୁ ଭାର କରି ଗ୍ରାମବାସୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିକି ଆଣିବା ପରେ ଡାକ୍ତରଖାନା ନେବା ସମ୍ଭବ ହେଉଛି ।ଏପରିକି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ହଣ୍ଡା ଓ ଟୋକେଇ ରେ ବସେଇ ନଈ ଓ ନାଳ ପାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ପଂଚାୟତ ଅନ୍ତର୍ଗତ ସବେରୀ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିବା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବା ସହିତ ବାଟରେ ଏକ ବଡ଼ ନାଳ ପଡ଼ୁଥିବାରୁ ଆମ୍ବୁଲାନ୍ସ ୧ କିଲୋମିଟର ଦୂରରେ ଅଟକି ରହିଥିଲା ।ଆଶାଦିଦି ଓ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆ ଭାରରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା ଓ ନିଜେ ଆମ୍ବୁଲାନ୍ସ ଡ୍ରାଇଭର ନିଜ କାନ୍ଧରେ ଗର୍ଭବତୀ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ଓ ଆମ୍ବୁଲାନ୍ସରେ ବସେଇ ଫିରିଙ୍ଗିଆ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ।ଠିକ ସମାନ ଦୃଶ୍ୟ ଆଜି ପୁଣି ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକର କ୍ରାଣ୍ଡି ବାଲି ପଂଚାୟତର ଡ଼ଙ୍ଗୀମେଣ୍ଢୀ ଗ୍ରାମରେ । ଗ୍ରାମର ପରୀକ୍ଷିତ କହଁର ଙ୍କ ସ୍ତ୍ରୀ କମଳିନୀ ମଲ୍ଲିକ ଙ୍କୁ ପ୍ରସବ ବେଦନା ଆରମ୍ଭ ହେବାରୁ ଉକ୍ତ ଗ୍ରାମର ଆଶାଦିଦି ରଞ୍ଚନା କହଁର ଆମ୍ବୁଲାନ୍ସକୁ ଫୋନ କରିଥିଲେ ।ଉକ୍ତ ଗ୍ରାମର ରାସ୍ତା ମଧ୍ୟ ଅତ୍ୟଧିକ ଆବଡା ଖବଡା ରହିଥିବା ସହିତ ବାଟରେ ବିରାଟ ବାଘନଦୀ ପଡ଼ୁଥିବାରୁ ଆମ୍ବୁଲାନ୍ସଟି ୨ କିଲୋମିଟର ଦୁରେ ଅଟକି ରହିଥିଲା ।ପରେ ଆଶାଦିଦି ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆ ଭାର ପ୍ରସ୍ତୁତ କରି ତହିଁରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।ପରେ ଆମ୍ବୁଲାନ୍ସରେ ମହିଳାଙ୍କୁ ବସେଇ ଗୋଛାପଡା ମେଡିକାଲରେ ପହଞ୍ଚାଇଥିଲେ ।ସେଠାରେ କମଳିନୀ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଓ ଉଭୟେ ସୁସ୍ଥ ଥିବା ସୂଚନା ମିଳିଛି ।ଦୀର୍ଘବର୍ଷ ହେଲାଣି ବାଘ ନଦୀ ଉପରେ ନିର୍ମାଣ ଚାଲିଛି ପୋଲ, ହେଲେ ଏଯାଏ ପୂରା ହେଉନି ।କାର୍ଯ୍ୟ କରୁଥିବା ଠିକାଦାର କାର୍ଯ୍ୟ ସମ୍ପାଦନ କରିବାରେ ବିଳମ୍ବ କରୁଥିବା ରୁ ଅଞ୍ଚଳ ବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବାଘ ନଦୀ ଉପରେ ପୋଲ ନିର୍ମାଣ ହେଉ ଥିବା ଜାଣି ଅଞ୍ଚଳ ବାସୀ ବେସ ଉତ୍ସାହିତ ଥିଲେ, ଭାବି ଥିଲେ ଏଥର ସେମାନଙ୍କ ଦୁଃଖ ଦୂର ହେବ, ହେଲେ କାର୍ଯ୍ୟ ରେ ବିଳମ୍ବ ହେଉଥିବାରୁ ସେମାନେ ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ବ୍ରିଜ କାମ ଶେଷ କରିବାକୁ ଦାବୀ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User