ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ଝରିଗାଁ ବ୍ଲକ ସଦର ମହକୁମା ।

ଝରିଗାଁ,୯l୫(ଷ୍ଟାର ନିୟୁଜ ଓଡ଼ିଶା ) : ସ୍ୱଚ୍ଛ ପରିବେଶ ପାଇଁ ପରିମଳ ବ୍ୟବସ୍ଥା ପରିଚାଳନା ନିତ୍ୟାନ୍ତ ଜରୁରୀ । ଏହାର ଅଭାବରେ ବାତାବରଣ ଦୂଷିତ ହୋଇଯାଏ। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପରିବେଶ ସ୍ୱଚ୍ଛ ରଖିବାକୁ ସରକାର ସ୍ୱଚ୍ଛ ଭାରତ ମିଶନ ତରଫରୁ ଏହା ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ ପଞ୍ଚାୟତ ପାଣ୍ଠି ମଧ୍ୟରେ ଏସ ଏଫ୍ ସି ଓ ସି ଏଫ୍ ସି ପାଣ୍ଠି ଅର୍ଥ ବ୍ୟୟ ପ୍ରାବଧାନ ରହିଛି। ଏସବୁ ସତ୍ତ୍ୱେ ଦୀର୍ଘ ଦିନରୁ ଝରିଗାଁ ସଦର ମହକୁମା ପରିବେଶ ଓ ଏହାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ସଦର ଗାଁ ମୁଣ୍ଡ ମୁଖ୍ୟ ରାସ୍ତା ଆରମ୍ଭରୁ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ବର୍ଜ୍ୟବସ୍ତୁ ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ି ରହିଛି। ନିକଟ ଅତୀତରେ ସମାପନ ହୋଇଥିବା କଳସଯାତ୍ରା ଉପଲକ୍ଷେ ମିନା ବଜାର ଚାଲିଥିଲା। ଜଳଖିଆ ଦୋକାନ,ଆଇସକ୍ରିମ ଦୋକାନ,ମିଠା ଦୋକାନ,ଫଳମୂଳ ଦୋକାନ, ଖେଳଣା ଦୋକାନ ଆଦି ବିଭିନ୍ନ ଦୋକାନ ପସରା ବସିଥିଲା। ଯାତ୍ରା ଅବସରରେ ଆଖପାଖ ଅଂଚଳର ଶତାଧିକ ଲୋକ ପହଞ୍ଚିଥିଲେ। ନଅଦିନ ଧରି ଅନୁଷ୍ଠିତ ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା। କଳସ ମଣ୍ଡପ ଠାରୁ ମିନା ବଜାର ପଡିଆ ପର୍ଯ୍ୟନ୍ତ ଅଦରକାରୀ ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜ୍ଜନା କୁଢ଼ କୁଢ଼ ଜମା ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ପଞ୍ଚାୟତ ପ୍ରଶାସନ ପକ୍ଷରୁ ସଦର ମହକୁମା ପରିବେଶ ନିର୍ମଳ ରଖିବାକୁ କୌଣସି ସ୍ଥାୟୀ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ। ସଦର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ ପରେ ସେଗୁଡିକ ପୋତି ହୋଇଯାଇଛି। ବର୍ଷା ପାଣି ଡ୍ରେନରେ ପଡ଼ିବା ପରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଆବର୍ଜ୍ଜନା ସହ ଦୂଷିତ ପାଣି ବର୍ଷା ଦିନେ ସଦର ମୁଖ୍ୟ ରାସ୍ତାରେ ଭାସୁଛି। ଆବର୍ଜ୍ଜନା ଗୃହ ନିର୍ମାଣ ହୋଇ ବ୍ୟବହାର ନହୋଇ ପଡି ରହିଛି।ପରିମଳ ବ୍ୟବସ୍ଥା ପ୍ରସଙ୍ଗରେ ଝରିଗାଁ ପଞ୍ଚାୟତ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ପରିମଳ ବ୍ୟବସ୍ଥା ପାଇଁ ନିଷ୍ପତି ସରିଛି। ଅଳିଆ ଆବର୍ଜ୍ଜନା ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ଠେଲା ଗାଡ଼ି ଅଣାଯାଇଛି। ଆସନ୍ତା ଦିନରେ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ପରେ ତୁରନ୍ତ ଡ୍ରେନ ମରାମତି କରି ଜଳ ନିଷ୍କାସନ ବ୍ୟବସ୍ଥା ପୁଣି ଅଳିଆ ବୋହିବା ଗାଡ଼ି ବ୍ୟବହାର କରାଯିବା ନେଇ ପଦକ୍ଷେପ ନେବେ ବୋଲି ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






