ମାଛ ପୋଖରୀରେ ପଶିଲା ବେଦାନ୍ତ ଫ୍ଲାଏ ଆସପଣ୍ଡର ବିଷାକ୍ତ ପାଣି ତେଲେଙ୍ଗାମୁଣ୍ଡା ପୋଖରୀରେ ହଜାରହଜାର ମାଛଙ୍କ ମୃତ୍ୟୁ ମହିଳା ଗୋଷ୍ଠୀ ସର୍ବସ୍ୱାନ୍ତ

Apr 29, 2025 - 19:29
0 39
ମାଛ ପୋଖରୀରେ ପଶିଲା ବେଦାନ୍ତ ଫ୍ଲାଏ ଆସପଣ୍ଡର ବିଷାକ୍ତ ପାଣି ତେଲେଙ୍ଗାମୁଣ୍ଡା ପୋଖରୀରେ ହଜାରହଜାର ମାଛଙ୍କ ମୃତ୍ୟୁ  ମହିଳା ଗୋଷ୍ଠୀ ସର୍ବସ୍ୱାନ୍ତ

କଳାହାଣ୍ଡି /ଲାଞ୍ଜିଗଡ଼,୨୯l୪(ଷ୍ଟାରନିଉଜ ଓଡିଶା):ବ୍ୟାଙ୍କରୁ ଋଣ ନେଇ ମାଛଚାଷ କରିଥିଲେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। ମାଛ ବି ଭଲ ବଢିଥିଲେ। ଥରକେ ମୂଳ ସହିତ ସୁଧ ଶୁଝିଦେବେ ବୋଲି ଆଶା ବାନ୍ଧିଥିଲେ ମହିଳା ଗୋଷ୍ଠୀର ସଦସ୍ୟାମାନେ। କିନ୍ତୁ ରାତିକ ମଧ୍ୟରେ ସବୁକିଛି ଓଲଟିଗଲା। ମାଛଚାଷ କରି ସ୍ୱାବଲମ୍ବୀ ହେବାକୁ ସ୍ବପ୍ନ ଦେଖୁଥିବା ମହିଳା ଗୋଷ୍ଠୀଙ୍କ ସ୍ବପ୍ନ ଧୂଳିସାତ ହୋଇଗଲା। ପୋଖରୀର ସବୁତକ ମାଛ ମରି ଭାସୁଥିବା ଦେଖିବାକୁ ପାଇଥିଲେ ଗୋଷ୍ଠୀର ସଦସ୍ୟାମାନେ। ମୁଣ୍ଡରେ ହାତଦେଇ ବସିପଡ଼ିଲେ ସେମାନେ। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଧାରଣାରେ ବସିପଡ଼ିଲେ। କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ମରିପଡିବା ସହିତ ସର୍ବସ୍ୱାନ୍ତ ହୋଇଯିବା ପରେ ଏମିତି ଧାରଣାରେ ବସିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ପଞ୍ଚାୟତ କେନ୍ଦୁଗୁଡା ଗାଁର ସୁରଭି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଲାଞ୍ଜିଗଡ ପଞ୍ଚାୟତରୁ କେନ୍ଦୁଗୁଡା ଗାଁର ତେଲେଙ୍ଗାମୁଣ୍ଡା ନାମକ ପୋଖରୀକୁ ୧୦ ହଜାର ଟଙ୍କାରେ ତିନିବର୍ଷ ପାଇଁ ଲିଜରେ ଆଣିବା ସହ ୬୦ ହଜାର ମାଛ ଯାଅଁଳା ଛାଡିଥିଲେ। ମାଛଗୁଡିକ ମଧ୍ୟ ବେଶ ବଢିବା ସହିତ ଏକ କିଲୋଗ୍ରାମ, ଦେଢ଼ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହୋଇଥିଲେ। ମାଛ ଯାଆଁଳା, ଖାଦ୍ୟ ଏବଂ ଔଷଧ ବାବଦକୁ ୧ ଲକ୍ଷ ୬୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଥିଲେ। କିନ୍ତୁ ଦୁଇଦିନ ତଳେ ଅଞ୍ଚଳରେ କାଳବୈଶାଖୀ ସହିତ ବର୍ଷା ହୋଇଥିଲା। ତା ସାଙ୍ଗକୁ ପୋଖରୀ ନିକଟରେ ଥିବା ବେଦାନ୍ତ ଲିମିଟେଡର ଫ୍ଲାଏ ଆସ ପଣ୍ଡରୁ ନିର୍ଗତ ବିଷାକ୍ତ ବର୍ଜ୍ୟଜଳ ଏହି ପୋଖରୀରେ ମିଶିଥିଲା। ବେଦାନ୍ତ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହି ବିଷାକ୍ତ ଫ୍ଲାଏ ଆସ ମିଶ୍ରିତ ପାଣି ମିଶିଯିବାରୁ ଏହି ପୋଖରୀର ହଜାର ହଜାର ମାଛ ମରିଯିବା ସହିତ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି। ଏହାଦେଖି ନିରାଶ ହୋଇପଡ଼ିବା ସହିତ ଗୋଷ୍ଠୀର ସମସ୍ତ ସଦସ୍ୟା ଫ୍ଲାଏ ଆସ ପଣ୍ଡ ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି। ଦୀର୍ଘ ସମୟ ଧରି ସେମାନେ ଧାରଣାରେ ବସିବା ପରେ ବିଳମ୍ବିତ ସନ୍ଧ୍ୟାରେ ବେଦାନ୍ତ କର୍ତ୍ତୃପକ୍ଷଙ୍କ ସହିତ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାସହିତ ଧାରଣାରତ ମହିଳାମାନଙ୍କ ଆଲୋଚନା ଜାରି ରଖିଛନ୍ତି। ତେବେ ଉପଯୁକ୍ତ କ୍ଷତିପୂରଣ ଦିଆନଗଲେ ଧାରଣାରୁ ହଟିବୁ ନାହିଁ ବୋଲି ଗୋଷ୍ଠୀର ସଭାନେତ୍ରୀ ଭାଗ୍ୟବତୀ ନାଗ, ସମ୍ପାଦିକା ରଂଜିତା ନାଗଙ୍କ ସହିତ ଆରତୀ ନାଗ, ଯମୁନା ନାଗ, ଚଞ୍ଚଳା ନାଗ, କୁନିଲତା ନାଗ, ଗୋଲାପୀ ନାଗ, ମାନସୀ ନାଗ, କୌଶଲ୍ୟା ନାଗ, ସବିତା ନାଗ ପ୍ରମୁଖ ଦାବି କରିଛନ୍ତି। ନଚେତ ବେଦାନ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ପୋଖରୀରେ ବିଷ ଦେଇ ମାରିବା ଅଭିଯୋଗରେ ଅପରାଧିକ ମାମଲା ଦାୟର କରିବେ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User