ଯୁଦ୍ଧ ପରିସ୍ଥିତିର ପ୍ରଭାବ: କଳାହାଣ୍ଡିରେ ଏଲପିଜି ଗ୍ୟାସ ସଂକଟ, ହୋଟେଲ-ରେଷ୍ଟୁରାଣ୍ଟ ବ୍ୟବସାୟ ପ୍ରଭାବିତ

Mar 16, 2026 - 19:28
0 28
ଯୁଦ୍ଧ ପରିସ୍ଥିତିର ପ୍ରଭାବ: କଳାହାଣ୍ଡିରେ ଏଲପିଜି ଗ୍ୟାସ ସଂକଟ, ହୋଟେଲ-ରେଷ୍ଟୁରାଣ୍ଟ ବ୍ୟବସାୟ ପ୍ରଭାବିତ

ଭବାନୀପାଟଣା, କଳାହାଣ୍ଡି | ତାରିଖ: ୧୬/୦୩ (ଷ୍ଟାରନ୍ୟୁଜ ଓଡିଶା)

ବିଶ୍ୱସ୍ତରରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ଏଲପିଜି ଗ୍ୟାସ ଯୋଗାଣ ବ୍ୟବସ୍ଥାରେ ବିଘ୍ନ ସୃଷ୍ଟି ହେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ୟବସାୟିକ ଓ ଘରୋଇ ଗ୍ୟାସ ସଂକଟ ଦେଖାଦେଇଛି। ବିଶେଷକରି ରେଷ୍ଟୁରାଣ୍ଟ, ହୋଟେଲ, ଫାଷ୍ଟଫୁଡ ଷ୍ଟଲ୍ ଓ ଟିଫିନ ସେଣ୍ଟର ମାଲିକମାନେ ଏହି ସଂକଟରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି।
ଗ୍ୟାସ ସିଲିଣ୍ଡର ଯୋଗାଣ ଅଭାବ ହେତୁ ଭବାନୀପାଟଣା ସହରର ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲୁ ରଖିବା ଦୁର୍ହର୍ଷ ହୋଇପଡ଼ିଛି। କେତେକ ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ ଦୋକାନ ଗ୍ୟାସ ନ ମିଳିବାରୁ ବନ୍ଦ ହେବା ଆରମ୍ଭ କରିଥିବାବେଳେ ଆଉ କିଛି ବ୍ୟବସାୟୀ ଗ୍ୟାସ ସିଲିଣ୍ଡର ପାଇଁ ଏକ ପ୍ରକାର ସଂଘର୍ଷ କରୁଥିବା ଦେଖାଯାଉଛି। ଆଗାମୀ ଦିନରେ ଗ୍ୟାସ ମିଳିବ କି ନାହିଁ ବୋଲି ଆଶଙ୍କାରେ କେତେକ ଲୋକ କଳାବଜାରରୁ ମଧ୍ୟ ଉଚ୍ଚ ଦାମରେ ଗ୍ୟାସ ସିଲିଣ୍ଡର କିଣୁଥିବା ଅଭିଯୋଗ ଆସିଛି।
ଏହି ସମସ୍ୟାକୁ ନେଇ ଭବାନୀପାଟଣାର ଭାଗୀରଥି ଇନ୍ ଠାରେ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, କେଫେ, ଫାଷ୍ଟଫୁଡ ଓ ଫୁଡ୍ ଷ୍ଟଲ୍ ମାଲିକମାନେ ଉପସ୍ଥିତ ହୋଇ ଗ୍ୟାସ ସଂକଟ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ। ବ୍ୟବସାୟିକ ଏଲପିଜି ଗ୍ୟାସ ଯୋଗାଣ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଏହା ପରେ ଆଜି ସକାଳେ ବଣିକ ସଂଘର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାରଙ୍କୁ ସାକ୍ଷାତ କରି ଗ୍ୟାସ ସଂକଟ ସମସ୍ୟା ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ବ୍ୟବସାୟିକ ଏଲପିଜି ଗ୍ୟାସର ସୁଚାରୁ ଯୋଗାଣ ବ୍ୟବସ୍ଥା କରିବା, ଗ୍ୟାସ ଏଜେନ୍ସୀ ଦ୍ୱାରା ହେଉଥିବା କଳାବଜାରୀକୁ ରୋକିବା, ଗ୍ୟାସ ସଂକଟ ଦୂର ନହେଉଅବଧି ଖାଦ୍ୟ ବ୍ୟବସାୟୀମାନଙ୍କୁ କୋଇଲା ଓ କାଠରେ ରନ୍ଧନ କରିବାକୁ ଅନୁମତି ଦେବା ସହ ଫରେଷ୍ଟ ବିଭାଗ ପକ୍ଷରୁ କୋଇଲା ଭାରକୁ କୋହଳ କରିବା ପାଇଁ ଅନୁରୋଧ କରାଯାଇଛି।
ସେଥିସହ ଗ୍ୟାସ ସଂକଟ ଦୂର ନହେଉଅବଧି ଖାଦ୍ୟ ବ୍ୟବସାୟୀମାନଙ୍କୁ ନୀରିକ୍ଷଣ ନାମରେ ଅତିରିକ୍ତ ହଇରାଣ ନକରିବାକୁ ମଧ୍ୟ ଦାବି କରାଯାଇଛି।
ଏହି ପ୍ରତିନିଧି ଦଳରେ କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ ସାହୁ, ସାଧାରଣ ସମ୍ପାଦକ ନିରୋଜ ପଟ୍ଟନାୟକ, ବିଶିଷ୍ଟ ବ୍ୟବସାୟୀ ପ୍ରମୋଦ ଖମାରୀ, ସହ-ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ପ୍ରମୋଦ ଜୈନ, ଯୁବ ଉଦ୍ୟୋଗୀ ଅବିନାଶ ଠାକୁର, ମହମ୍ମଦ କରୀମ, ଅବିନାଶ ଅଗ୍ରୱାଲ, ରାଜ ମିଶ୍ର ଓ ସାଇ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି, (ଷ୍ଟାରନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User