ରାସ୍ତା ନଥିବାରୁ ଗାଁକୁ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ: ଟ୍ରାକ୍ଟର ଉପରେ ଜନ୍ମ ନେଲା ଶିଶୁ କନ୍ୟା

Jul 13, 2026 - 21:43
 0  15
ରାସ୍ତା ନଥିବାରୁ ଗାଁକୁ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ: ଟ୍ରାକ୍ଟର ଉପରେ ଜନ୍ମ ନେଲା ଶିଶୁ କନ୍ୟା

ଜୟପାଟଣା, ୧୩।୭ (ବିଷ୍ଣୁ ଚରଣ ସ୍ୱାଇଁ / ଷ୍ଟାର ନ୍ୟୁଜ ଓଡ଼ିଶା): ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧାର ଅଭାବ କିପରି ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛି, ତାହାର ଆଉ ଏକ ହୃଦୟବିଦାରକ ଉଦାହରଣ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ଦାବିରୀଘାଟି ଗ୍ରାମରୁ ସାମ୍ନାକୁ ଆସିଛି। ଗାଁକୁ ସଠିକ୍ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା। ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଟ୍ରାକ୍ଟରରେ ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତା ମଝିରେ ହିଁ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ସୂଚନା ଅନୁସାରେ, ଦାବିରୀଘାଟି ଗ୍ରାମର ଉମିଲା ମାଝୀଙ୍କର ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ସଦସ୍ୟମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଚଚରାଗୁଡ଼ା ଗ୍ରାମ ପର୍ଯ୍ୟନ୍ତ ଆସି ସେଠାରେ ଅପେକ୍ଷା କରିଥିଲା। ଏହାପରେ ପରିବାର ଲୋକ ଓ ଗ୍ରାମବାସୀମାନେ ପ୍ରସୂତିଙ୍କୁ ଟ୍ରାକ୍ଟରରେ ପ୍ରାୟ ୧୦ କିଲୋମିଟର ଦୂର ଆଣୁଥିବା ବେଳେ ରାସ୍ତା ମଝିରେ ହିଁ ସେ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ପ୍ରସବ ପରେ ଚଚରାଗୁଡ଼ାଠାରୁ ଆମ୍ବୁଲାନ୍ସ ଯୋଗେ ମା' ଓ ନବଜାତ ଶିଶୁଙ୍କୁ ପ୍ରଥମେ ମୈଦଲପୁର ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ପ୍ରସୂତିଙ୍କ ଶରୀରରେ ରକ୍ତର ଅଭାବ ଥିବା ସହ ସେ ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟ ମା' ଓ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରହିଥିବା ଜଣାପଡ଼ିଛି।

ଏହି ଘଟଣା ପୁଣିଥରେ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ରାସ୍ତା, ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳ ବ୍ୟବସ୍ଥାକୁ ପଦାକୁ ଆଣିଛି। ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କ ଜୀବନ ସୁରକ୍ଷା ପାଇଁ ଦାବିରୀଘାଟି ସମେତ ଏହି ଅଞ୍ଚଳକୁ ତୁରନ୍ତ ପକ୍କା ରାସ୍ତା ସଂଯୋଗ କରିବା ସହ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାକୁ ଗ୍ରାମବାସୀମାନେ ସରକାର ଓ ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR