ରୋଗରେ ପୀଡିତା ୧୧ ବର୍ଷର ବିକଳାଙ୍ଗ ନାବାଳିକା,ଚିକିତ୍ସା ପାଇଁ ଅର୍ଥ ଅଭାବ,ମାଗଣା ଚିକିତ୍ସା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଯୋଗାଇ ଦେବାପାଇଁ ପରିବାର ଲୋକଙ୍କ ଗୁହାରି ।

ଝରିଗାଁ,୩୦l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଛୋଟାଗୁଡ଼ା ଡ଼ିଏନକେ ଗ୍ରାମର ଜଣେ ୧୧ ବର୍ଷର ଝିଅ ରୋଗରେ ପୀଡିତ ହୋଇ ବିକଳାଙ୍ଗ ହୋଇ ଯାଇଥିବା ବେଳେ ଉନ୍ନତ ଚିକିତ୍ସା କରିବା ପାଇଁ ପରିବାର ନିକଟରେ ଅର୍ଥ ଅଭାବ ଦେଖାଦେଇଛି।ତେଣୁ ପରିବାର ଲୋକେ ପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଯୋଗାଇ ଦେବା ପାଇଁ ଗୁହାରି କରିଛନ୍ତି।ପରିବାର ଲୋକଙ୍କ କହିବା ପ୍ରକାରେ ଛୋଟାଗୁଡ଼ା ଡ଼ିଏନକେ ଗ୍ରାମର ଅଭିଜିତ ବିଶ୍ୱାସଙ୍କ ୧୧ ବର୍ଷର ଝିଅ ଅର୍ପିତା ବିଶ୍ୱାସ ଜନ୍ମ ସମୟରେ ଠିକ ଥିଲା।ଜନ୍ମର ପ୍ରାୟ ୨୨ ଦିନ ପରେ ଅର୍ପିତା ଜୋରରେ କାନ୍ଦିବା ଆରମ୍ଭ କରିଥିଲା।ଦିନ ତମାମ କାନ୍ଦ ବନ୍ଦ ହୋଇନଥିଲା।ପରିବାର ଲୋକ ତୁରନ୍ତ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରି ସୁସ୍ଥ ହେବା ପରେ ଘରକୁ ଫେରାଇ ଆଣିଥିଲେ।କିଛିଦିନ ପରେ ପୁଣିଥରେ କାନ୍ଦିବା ଆରମ୍ଭ କରିବାରୁ ପରିବାର ଲୋକ ଜଗଦଲପୁର ସ୍ଥିତ ଡାକ୍ତରଖାନାରେ ନେଇ ଚିକିତ୍ସା କରିଥିଲେ।କିନ୍ତୁ କୌଣସି ସୁଫଳ ମିଳିନଥିଲା।ଶେଷରେ ବିଶାଖାପାଟଣା ସ୍ଥିତ ଘରୋଇ ଡାକ୍ତରଖାନା ଶ୍ରୀ କ୍ରିଷ୍ଣା ଠାରେ ଚିକିତ୍ସା କରାଇଥିଲେ।ସେଠାରେ ପ୍ରାୟ ୪ ଦିନ ରହି ଚିକିତ୍ସା ପରେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ।ପ୍ରତ୍ୟେକ ତିନି ମାସକୁ ଥରେ ଅର୍ପିତାଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ଆଣିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଆର୍ଥିକ ଅଭାବ ଯୋଗୁଁ ପରିବାର ଲୋକ ଧାର ଉଧାର କରି ୧୧ ବର୍ଷ ମଧ୍ୟରେ ମାତ୍ର ୧୫ ଥର ବିଶାଖାପାଟଣା ଡାକ୍ତରଖାନା ନେଇଥିବା କହିଛନ୍ତି।୧୧ ଥର ବିଶାଖାପାଟଣା ଯିବା ମଧ୍ୟରେ ଧାର ଉଧାର କରି ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପରିବାର ଲୋକ କହିଛନ୍ତି। ଅର୍ପିତାକୁ ଗତବର୍ଷ ନଭେମ୍ବର ମାସରେ ବିଶାଖାପାଟଣା ନେଇ ଚିକିତ୍ସା କରାଇଥିବା ବେଳେ ଆର୍ଥିକ ଅଭାବ ଯୋଗୁଁ ଆଉ ଯାଇ ନଥିବା ପରିବାର ଲୋକ କହିଛନ୍ତି।ଅର୍ପିତାର ବୟସ ଯେତେ ବଢୁଛି ଗୋଡ଼, ହାତ ଓ ଛାତି ସେତେ ବଙ୍କା ହେଉଥିବା ପରିବାର ଲୋକେ କହିଛନ୍ତି।ବର୍ତ୍ତମାନ ଅର୍ପିତାର ହାତ ଓ ଗୋଡ଼ ବଙ୍କା ହୋଇ କାମ ଦେଉନ ଥିବା ବେଳେ ଘରେ ଶୋଇ ରହୁଛି।ସେହିପରି ମସ୍ତିଷ୍କ ବୃଦ୍ଧି ହୋଇ ନଥିବା ଯୋଗୁଁ ପିଲା ମାନଙ୍କ ଭଳି ଆଚରଣ କରିବା ସହ କଥା କହି ପାରୁ ନାହିଁ ଏବଂ କାହାରିକୁ ଚିହ୍ନି ପାରୁନାହିଁ।ସାଙ୍ଗସାଥୀଙ୍କ ସହ ଖେଳିବା ବୁଲିବା ସମୟରେ ଅର୍ପିତା ଘରେ ଶଯ୍ୟାଶାୟୀ ଥିବା ବେଳେ ମାଆ ପାର୍ବତୀ ଅର୍ପିତାଙ୍କ ସେବା କରୁଛନ୍ତି।ଅଭିଜିତ ସ୍ଥାନୀୟ ଅଞ୍ଚଳରେ ମାଛ ବ୍ୟବସାୟ କରି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାରର ଚାରି ଜଣ ସଦସ୍ୟ ଚଳିବା କଷ୍ଟ ହେଉଥିବା ବେଳେ ଝିଅର ଚିକିତ୍ସା ପାଇଁ ଅର୍ଥ ଅଭାବ ଦେଖାଦେଇଛି।ତେଣୁ ପ୍ରଶାସନ ପକ୍ଷରୁ ମାଗଣା ଚିକିତ୍ସା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ଅର୍ଥ ଯୋଗାଇ ଦେବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






