ସବ୍‌ସିଡି ମିଳିଲା, ବନ୍ଦ ହୋଇଗଲା କୁକୁଡ଼ା ଫାର୍ମ! କେସିଙ୍ଗା ବ୍ଲକରେ କୋଟି କୋଟି ଟଙ୍କାର କୁକୁଡ଼ା ଚାଷ ପ୍ରକଳ୍ପ ଫେଲ୍‌, ଅର୍ଥ ଆତ୍ମସାତ୍‌ ଅଭିଯୋଗ

Jun 05, 2026 - 17:08
0 51
ସବ୍‌ସିଡି ମିଳିଲା, ବନ୍ଦ ହୋଇଗଲା କୁକୁଡ଼ା ଫାର୍ମ! କେସିଙ୍ଗା ବ୍ଲକରେ କୋଟି କୋଟି ଟଙ୍କାର କୁକୁଡ଼ା ଚାଷ ପ୍ରକଳ୍ପ ଫେଲ୍‌, ଅର୍ଥ ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା, ୫/୬ (ଷ୍ଟାର ନିୟୁଜ ଓଡିଶା ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କର ଆର୍ଥିକ ସଶକ୍ତିକରଣ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ମିଶନ ଶକ୍ତି ମାଧ୍ୟମରେ କୁକୁଡ଼ା ଚାଷ ପ୍ରକଳ୍ପ ପାଇଁ ବ୍ୟାପକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ତେବେ ବହୁ ପ୍ରକଳ୍ପ ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ବେଳେ ସରକାରୀ ସବ୍‌ସିଡି ଅର୍ଥ ଆତ୍ମସାତ୍‌ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି।
ସୂଚନା ଅନୁଯାୟୀ, ୨୦୨୦ ରୁ ୨୦୨୫ ମଧ୍ୟରେ କେସିଙ୍ଗା ବ୍ଲକର ୫୦ରୁ ଅଧିକ ମହିଳା ଗ୍ରୁପ୍‌କୁ ବ୍ରଏଲର କୁକୁଡ଼ା ଚାଷ ପାଇଁ ପ୍ରାୟ ୩ କୋଟି ୬୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପ୍ରକଳ୍ପର ଅଟକଳ ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା ଥିଲା। ସାଧାରଣ ବର୍ଗର ଗ୍ରୁପ୍‌ମାନଙ୍କୁ ୪୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତି ଗ୍ରୁପ୍‌ମାନଙ୍କୁ ୬୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯାଇଥିଲା।
ଏହି ପ୍ରକଳ୍ପ ଅଧୀନରେ ୨ ହଜାରରୁ ୩ ହଜାର ପର୍ଯ୍ୟନ୍ତ ବ୍ରଏଲର କୁକୁଡ଼ା ପାଳନ ପାଇଁ ଶେଡ୍‌ ଓ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। କିନ୍ତୁ ଅଭିଯୋଗ ଅନୁସାରେ, ଅନେକ ଗ୍ରୁପ୍‌ କେବଳ ଏକ କିମ୍ବା ଦୁଇଟି ବ୍ୟାଚ୍‌ କୁକୁଡ଼ା ପାଳନ କରିବା ପରେ ଚାଷ ବନ୍ଦ କରି ଦେଇଥିଲେ। ସବ୍‌ସିଡି ଅର୍ଥ ପ୍ରାପ୍ତି ପରେ ପ୍ରକଳ୍ପଗୁଡ଼ିକ ଅଚଳ ହୋଇଯାଇଥିବାରୁ ସରକାରୀ ଅର୍ଥର ସଦୁପଯୋଗ ନେଇ ପ୍ରଶ୍ନ ଉଠିଛି।
ମଶାଣିବନ୍ଧ ଗ୍ରାମର ଏକ ମହିଳା ଏସ୍‌ଏଚ୍‌ଜିର ଉଦାହରଣ ଦେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ, ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କାର ପ୍ରକଳ୍ପରେ ୨ ଲକ୍ଷ ୮୮ ହଜାର ଟଙ୍କା ସବ୍‌ସିଡି ମିଳିବା ପରେ କେବଳ କିଛି ମାସ କୁକୁଡ଼ା ଚାଷ କରାଯାଇଥିଲା। ପରେ ଗତ ତିନି ବର୍ଷ ଧରି ଫାର୍ମଟି ବନ୍ଦ ରହିଛି। ନିର୍ମିତ କୁକୁଡ଼ା ଶେଡ୍‌ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ପ୍ରକଳ୍ପ ଚାଲୁ ଥିବା ନେଇ ତଦନ୍ତ ରିପୋର୍ଟ ଆଧାରରେ ସବ୍‌ସିଡି ଅର୍ଥ ମଞ୍ଜୁର ହେଉଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ କିମ୍ବା ମନିଟରିଂ କରାଯାଉ ନାହିଁ। ଫଳରେ କେତେକ କ୍ଷେତ୍ରରେ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ଏହା ସହ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ କେସିଙ୍ଗାର ଅତିରିକ୍ତ ପ୍ରାଣୀ ସମ୍ପଦ ସହାୟକ ଡା. ସୌମ୍ୟ ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରକଳ୍ପଗୁଡ଼ିକର ସଠିକ୍‌ ରକ୍ଷଣାବେକ୍ଷଣ ଓ ଆବଶ୍ୟକ ପଦକ୍ଷେପ ଅଭାବରୁ ଅନେକ ଫାର୍ମ ଅଚଳ ହୋଇପଡ଼ିଛି। ବର୍ତ୍ତମାନ ୫୦ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୧୦ଟି କୁକୁଡ଼ା ଫାର୍ମ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବା ସେ ସ୍ୱୀକାର କରିଥିଲେ।
ସରକାରୀ ଅର୍ଥରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ନେଇ ସ୍ୱାଧୀନ ତଦନ୍ତ କରାଯାଇ ଦାୟୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User