ସ୍ୱାମୀ ସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ।

Nov 26, 2025 - 21:42
0 58
ସ୍ୱାମୀ ସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ।

ଝରିଗାଁ,୨୬l୧୧(ଷ୍ଟାର ନିୟୁଜ ଓଡିଶା): ଗତକାଲି ମଧ୍ୟରାତ୍ରିରେ ସୋଇଥିବା ସ୍ୱାମୀସ୍ତ୍ରୀକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ କରି ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ |ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ହାତୀବାଡ଼ି ଗ୍ରାମ ସାନ୍ତା ସାହିରେ | ପ୍ରାପ୍ତ ସୂଚନା ପ୍ରକାରେ ଗତକାଲି ରାତି ପ୍ରାୟ ୧୨ ରୁ ୧ ଘଣ୍ଟା ମଧ୍ୟରେ ୮ ରୁ ୧୦ ଜଣ ଅଜଣା ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସହିତ ହାତିବାଡି ଗ୍ରାମର ବିଭୂପଦ ସ୍ୱାଇଁଙ୍କ ଘରକୁ ଯାଇଥିଲେ | ଘର ଅଗଣାରେ ଅମଳ ହୋଇଥିବା ମକା ଗଦା ଥିବାରୁ ଖଟ ପକାଇ ସୋଇଥିଲେ। ପ୍ରଥମେ ବିଭୁପଦର ହାତ ଓ ଗୋଡ଼କୁ ଦଉଡି ସାହାଯ୍ୟରେ ବାନ୍ଧିଦେଇ ତାକୁ ମାଡ଼ ମାରି ଭୟ ଦେଖେଇ ଥିଲେ,ଘରେ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ୪ ବର୍ଷ ଓ ସାତ ବର୍ଷର ଛୁଆ ଙ୍କ ସହ କବାଟ ଦେଇ ଶୋଇଥିଲେ । ଦୃବୁର୍ତ୍ତ ମାନେ ସ୍ଵାମୀ ବିଭୁପଦ କୁ ଜୀବନରେ ମାରି ଦେବାକୁ ଆକ୍ରମଣ କରି ଧମକ ଦେଇ ସ୍ତ୍ରୀ ଙ୍କୁ କବାଟ ଖୋଲିବାକୁ ବାଧ୍ୟ କରିଥିଲେ। ସ୍ୱାମୀର ଚିତ୍କାର ଶୁଣି ସ୍ତ୍ରୀ କବାଟ ଖୋଲିବା ପରେ ଦୃବୁର୍ତ ମାନେ ମାଡ଼ି ବସି ଉଭୟଙ୍କୁ ଚୁପ କରି ଲୁଟିବା ଆରମ୍ଭ କରିଥିଲେ। ଏହି ସମୟରେ ପ୍ରତିରୋଧ କରିବାରୁ ଧାରୁଆ ଅସ୍ତ୍ର ସହ ଆକ୍ରମଣ କରି ଲକ୍ଷ୍ମୀପ୍ରିୟାଙ୍କ ପିଠିରେ ଭୁଷି ଦେଇଥିଲେ।ଘର ଭିତରେ ପଶି ଲକ୍କର ଭାଙ୍ଗି ତହିଁରେ ଥିବା ୩ ଲକ୍ଷ ନଗଦ ଟଙ୍କା ଓ ୧୦୦ ରୁ ୨୦୦ ଗ୍ରାମ ସୁନା କାଢ଼ିବା ପରେ ଲକ୍ଷ୍ମୀପ୍ରିୟା ବେକରେ ପିନ୍ଧିଥିବା ସୁନା ଚେନକୁ ମଧ୍ୟ ଟାଣି ନେଇଥିଲେ |ପରେ ଘରେ ଥିବା ଦୁଇଟା ମୋବାଇଲ ଫୋନ ଓ ବିଭୁପଦ ପିନ୍ଧିଥିବା ସୁନା ମୁଦିକୁ ମଧ୍ୟ ଛୁରୀରେ ଆଙ୍ଗୁଠି କ୍ଷତାକ୍ତ କରି କାଟି ବାହାର କରିଥିଲେ |ଦୁଇ ସ୍ୱାମୀସ୍ତ୍ରୀଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିବା ସହିତ ନିର୍ଧୁମ ମାଡ଼ ମାରି ଚମ୍ପଟ ମାରିଥିଲେ |ଏନେଇ ବିଭୁପଦଙ୍କ ଶ୍ୱଶୁର ଆଜି ବିନୋଦ ବିହାରୀ ସାମଲ ଝରିଗାଁ ଥାନାରେ ପହଂଚି ରିପୋର୍ଟ ଦେବା ପରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଏବଂ ଉମରକୋଟ ଏସ ଡି ପି ଓ ଶୁଭେନ୍ଦୁ କୁମାର ଶବର ସମେତ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପାରିପାର୍ଶ୍ବିକ ପରିସ୍ଥିତି ଅନୁଧ୍ୟାନ କରି ସାଇନ୍ ଟି ଫିକ୍ ଟିମ ର ସହାୟତା ପାଇଁ ପୋଲିସ ଅପେକ୍ଷା କରିଛି । ଦୃବୂର୍ତ୍ତ ମାଙ୍କ ମଧ୍ୟରୁ ଜଣକର ଚପଲ ଓ କାଠ ବେଣ୍ଟ ର ଦେଶୀ ଖଣ୍ଡା ଘଟଣା ସ୍ଥଳରେ ପଡ଼ି ରହିଛି । ସେସବୁକୁ ପୋଲିସ ସୀମାବଦ୍ଧ କରି ରଖିଛି।ଆସନ୍ତାକାଲି ସନ୍ଧାନି କୁକୁର ପହଞ୍ଚିବା ପରେ ତଦନ୍ତ ପୁନଃ ଆରମ୍ଭ ହେବ ବୋଲି ଆଇ ଆଇ ସି ଶବର ସୂଚନା ଦେଇଛନ୍ତି।ପୋଲିସ ସୂଚନା ପ୍ରକାରେ ରିପୋର୍ଟ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି | ଅନ୍ୟପକ୍ଷେ ଗୁରୁତର ଆହତ ଲକ୍ଷ୍ମୀ ପ୍ରିୟା ଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାର ଲୋକେ କୋରାପୁଟ ମେଡ଼ିକାଲ କଲେଜ୍ କୁ ନେଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User