ଜିଲ୍ଲା ପରିଷଦ ସଭାଗୃହରେ ଧୁମଧାମରେ ପ୍ରତିଭା ସମ୍ମାନ ସମାରୋହ–୨୦୨୬

Jul 5, 2026 - 15:33
 0  10
ଜିଲ୍ଲା ପରିଷଦ ସଭାଗୃହରେ ଧୁମଧାମରେ ପ୍ରତିଭା ସମ୍ମାନ ସମାରୋହ–୨୦୨୬

ଭବାନୀପାଟଣା, ତା. ୫/୭ (ଷ୍ଟାର ନ୍ୟୁଜ ଓଡ଼ିଶା): ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସଭାଗୃହରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ଭେଞ୍ଚର ଭିସ୍ତା ଓ କାରୁଣ୍ଡ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ 'ପ୍ରତିଭା ସମ୍ମାନ ସମାରୋହ–୨୦୨୬' ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।
କାରୁଣ୍ଡ ସେବା ସଂଗଠନର ସଭାପତି ପୁରୁଷୋତ୍ତମଦାସ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଡ. ମହେନ୍ଦ୍ର କୁମାର ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଉଦଘାଟନ କରିଥିଲେ। ସଂଗଠନର ଏଭଳି ପ୍ରୟାସ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ସହ ସମାଜରେ ଶିକ୍ଷା ଓ ପ୍ରତିଭାର ସମ୍ମାନ ବଢ଼ାଇବାରେ ସହାୟକ ହେବ ବୋଲି ସେ କହିଥିଲେ।
ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ଼ ଅଧ୍ୟବସାୟକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ସଂଗଠନର ସଭାପତି ବିରଜା ପ୍ରସାଦ ପଣ୍ଡା, ଭେଞ୍ଚର ଭିସ୍ତାର ମୁଖ୍ୟ ପରିଚାଳକ ଦେବାଶିଷ ବେହେରା ଓ ସାମାଜିକ କର୍ମୀ ଚିନ୍ମୟ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା କରିଥିବା ବେଳେ ଭୁଜବଳ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ ସ୍ୱାଗତ ଭାଷଣ ସହ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିବା ବେଳେ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ତାରକା ଆକାଶ ରଞ୍ଜନ ମୁଣ୍ଡଙ୍କୁ ବିନୋଦିନୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବିଶିଷ୍ଟ ଗାଳ୍ପିକା ଦେବହୂତି କରଙ୍କ ଗଳ୍ପ ସଂକଳନ 'କେଶବତୀ କନ୍ୟା'ର ଲୋକାର୍ପଣ ମଧ୍ୟ କରାଯାଇଥିଲା।
ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ବିଭିନ୍ନ ବିଷୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ୪୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ସଂଜୀବ ମୁଣ୍ଡ, ମାନସ ରଞ୍ଜନ ପଣ୍ଡା, ଶାନ୍ତନୁ କୁମାର ପରିଡା, ଲଲିତ କୁମାର ବିଶି, ବେଦ ପ୍ରକାଶ ପଣ୍ଡା, ଶୁଶିଲ ନାଗ, ଶାନ୍ତନୁ କୁମାର ବେହେରା, ଖୁସି ରାଣୀ ସାହୁ, କେତକୀ ପୋଡ଼, ଗୋପାଳ ସାହୁ, ଅକ୍ଷୟ କୁମାର ନାଏକ, ନୁରୀ ବେଗମ ଓ ସୁବାଷିନୀ ନାଗ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂଗଠନର ଯୁଗ୍ମ ସମ୍ପାଦକ ରଜତ ବଂଶଲ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR