୩୬ ବର୍ଷର ଗୌରବମୟ ଶିକ୍ଷକତା ଜୀବନର ଅବସାନ: ବରିଷ୍ଠ ଗୁରୁଜୀ ଜୟରାମ ସାହୁଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

Jun 27, 2026 - 20:18
 0  11
୩୬ ବର୍ଷର ଗୌରବମୟ ଶିକ୍ଷକତା ଜୀବନର ଅବସାନ: ବରିଷ୍ଠ ଗୁରୁଜୀ ଜୟରାମ ସାହୁଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଭବାନୀପାଟଣା:୨୭l୦୬( ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ବ୍ରଜବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବରିଷ୍ଠ ଗୁରୁଜୀ ଶ୍ରୀ ଜୟରାମ ସାହୁଙ୍କ ଅବସର ଉପଲକ୍ଷେ ୨୬ ଜୁନ୍ ୨୦୨୬ ତାରିଖରେ ଏକ ଗମ୍ଭୀର ଓ ଭାବବିହ୍ୱଳ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଜୀଙ୍କ ଦୀର୍ଘ ୩୬ ବର୍ଷର ନିଷ୍ଠାପୂର୍ଣ୍ଣ ଶିକ୍ଷାସେବାକୁ ସ୍ମରଣ କରାଯାଇଥିଲା।
୧୯୯୦ ମସିହାରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ କେବଳ ଜଣେ ଆଦର୍ଶ ଶିକ୍ଷକ ନୁହେଁ, ବରଂ ଜଣେ ପ୍ରଖ୍ୟାତ ସଙ୍ଗୀତଜ୍ଞ, ତବଲା ଓ ହାରମୋନିୟମ ବାଦକ ଏବଂ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ମଧ୍ୟ ସୁପରିଚିତ। ସେ ଶିକ୍ଷା ବିକାଶ ସମିତିର ପ୍ରାନ୍ତ ସଙ୍ଗୀତ ପ୍ରମୁଖ ଭାବେ ମଧ୍ୟ ଦୀର୍ଘଦିନ ଧରି ଦାୟିତ୍ୱ ନିର୍ବାହ କରିଆସିଛନ୍ତି।
ତାଙ୍କର ଶିକ୍ଷାଦାନ ଯାତ୍ରା ବୈରାଗୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅସୁରାଳୀରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଭଦ୍ରକର ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଶେଷରେ ଭବାନୀପାଟଣାର ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଫଳତାର ସହ କାର୍ଯ୍ୟକାଳ ସମାପ୍ତ କରିଥିଲେ।
ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ନିଜ ବକ୍ତବ୍ୟରେ କହିଥିଲେ ଯେ, ସରକାରୀ ନିୟମ ଅନୁଯାୟୀ ଗୁରୁଜୀ ଶିକ୍ଷାଦାନ କ୍ଷେତ୍ରରୁ ଅବସର ନେଉଥିଲେ ମଧ୍ୟ ଶିକ୍ଷା ବିକାଶ ସମିତି ପାଇଁ ତାଙ୍କ ବିଦାୟ ଏକ ଅପୂରଣୀୟ କ୍ଷତି। ତାଙ୍କର ମଧୁର ବ୍ୟବହାର, ସରଳ ଜୀବନଶୈଳୀ ଓ ସୁମଧୁର କଣ୍ଠ ସଦା ସମସ୍ତଙ୍କ ସ୍ମୃତିରେ ଅମ୍ଳାନ ରହିବ।
ଅବସରପ୍ରାପ୍ତ ଗୁରୁଜୀଙ୍କ ସହ ଦୀର୍ଘ ଦିନର ସ୍ନେହ, ସହଯୋଗ ଓ ସମ୍ପର୍କର ସ୍ମୃତିଚାରଣ କରିଥିଲେ ଗୁରୁଜୀ, ଗୁରୁମା ଏବଂ ପରିଚାଳନା କମିଟିର ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ ଓ ଶ୍ରୀ କୋଶଲ ଅଗ୍ରୱାଲ। ଶେଷରେ ଶ୍ରୀ ଜୟରାମ ସାହୁ ନିଜ ଦୀର୍ଘ କର୍ମଜୀବନର ଅନୁଭୂତି ବଖାଣିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ।
ବିଦାୟର ସେହି କ୍ଷଣରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଅଶ୍ରୁ ଓ ହୃଦୟରେ ଅନେକ ସ୍ମୃତିର ଛାପ ସ୍ପଷ୍ଟ ହୋଇଉଠିଥିଲା। ଅନିଚ୍ଛା ସତ୍ତ୍ୱେ ଜଣେ ଆଦର୍ଶ ଶିକ୍ଷକଙ୍କୁ ବିଦାୟ ଜଣାଇ ସମସ୍ତେ ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଅବସର ଜୀବନ କାମନା କରିଥିଲେ। 

ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ – ଷ୍ଟାର ନ୍ୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR