କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର: ଭିତ୍ତିଭୂମି ଅଛି, କିନ୍ତୁ ଟ୍ରମା ସେଣ୍ଟର ସ୍ୱପ୍ନ ଅଧରା ଡାକ୍ତର ଅଭାବ, ଅଧାରେ ଉନ୍ନୟନ କାର୍ଯ୍ୟ, ବଢ଼ୁଛି ରୋଗୀଙ୍କ ଦୁର୍ଭୋଗ

Jun 07, 2026 - 21:37
0 15
କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର: ଭିତ୍ତିଭୂମି ଅଛି, କିନ୍ତୁ ଟ୍ରମା ସେଣ୍ଟର ସ୍ୱପ୍ନ ଅଧରା ଡାକ୍ତର ଅଭାବ, ଅଧାରେ ଉନ୍ନୟନ କାର୍ଯ୍ୟ, ବଢ଼ୁଛି ରୋଗୀଙ୍କ ଦୁର୍ଭୋଗ

କେସିଙ୍ଗା, ୭/୬ (ଷ୍ଟାର ନିଉଜ ଓଡ଼ିଶା):

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ପରିଚିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ରହିଛି। ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ଦୀର୍ଘଦିନ ଧରି ଟ୍ରମା ସେଣ୍ଟର (ଶାରୀରିକ ଆଘାତ କେନ୍ଦ୍ର) କାର୍ଯ୍ୟକ୍ଷମ ନ ହେବା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଟ୍ରମା ସେଣ୍ଟର ପାଇଁ ଚିହ୍ନଟ କରିଥିବା ବେଳେ ଜଣେ ନୋଡାଲ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ତଥାପି ଏପର୍ଯ୍ୟନ୍ତ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସଡ଼କ ଦୁର୍ଘଟଣାରେ ଆହତ ଗୁରୁତର ରୋଗୀମାନଙ୍କୁ ଭବାନୀପାଟଣା, ବୁର୍ଲା କିମ୍ବା କଟକ ସ୍ଥାନାନ୍ତର କରାଯାଉଛି। ଅନେକ କ୍ଷେତ୍ରରେ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ରହିଛି।
ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଘଟିଥିବା ଏକ ବଡ଼ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୪ ଜଣଙ୍କୁ ଚିକିତ୍ସା ଯୋଗାଇ ଜୀବନ ରକ୍ଷା କରାଯାଇଥିଲା। ସେହିପରି ଫେବୃଆରୀରେ ୧୨୮, ମାର୍ଚ୍ଚରେ ୧୧୨, ଏପ୍ରିଲରେ ୧୦୪ ଓ ମେ ମାସରେ ୧୧୯ ଜଣ ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସା କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ, ‘ଆମ ହସ୍ପିଟାଲ’ ଯୋଜନାରେ ଗତ ଦୁଇ ବର୍ଷ ତଳେ ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ହସ୍ପିଟାଲର ଅନେକ ସମସ୍ୟା ଯଥାପୂର୍ବ ରହିଛି।
ପ୍ରାୟ ୫୦ ବର୍ଷ ପୁରୁଣା ବିଦ୍ୟୁତ୍ ତାର ବଦଳାଯାଇନଥିବାରୁ ବାରମ୍ବାର ସର୍ଟ ସର୍କିଟ ହେଉଛି। ଅନେକ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଛି। ଏନେଇ ଜିଡି ବିଭାଗକୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।
ଡାକ୍ତର ଅଭାବ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ପ୍ରମୁଖ ସମସ୍ୟା। ଅନୁମୋଦିତ ୧୫ ଜଣ ଡାକ୍ତରଙ୍କ ସ୍ଥାନରେ ବର୍ତ୍ତମାନ ମାତ୍ର ୪ ଜଣ ନିଯୁକ୍ତ ଅଛନ୍ତି। ସେଥିମଧ୍ୟରୁ ଜଣେ ଡେପୁଟେଶନରେ ଥିବାରୁ କେବଳ ୩ ଜଣ MBBS ଡାକ୍ତରଙ୍କ ଉପରେ ସମଗ୍ର ଚିକିତ୍ସା ବ୍ୟବସ୍ଥା ନିର୍ଭର କରୁଛି। ଏହାସହ ଜଣେ ଗାଇନିକ୍ ବିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ଦନ୍ତ ଚିକିତ୍ସକ କାର୍ଯ୍ୟରତ ଅଛନ୍ତି।
ଏତେ ସୀମିତ ମାନବ ସମ୍ପଦ ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ସେବା ଜାରି ରଖିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୭୦ ହଜାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ୬,୯୮୦ ଜଣ ଗର୍ଭବତୀ ଓ ପ୍ରସୂତିଙ୍କୁ ସେବା ଯୋଗାଇ ଦିଆଯାଇଛି। ପ୍ରତିମାସରେ ୭୦୦ରୁ ୮୦୦ ଗର୍ଭବତୀ ମହିଳା ଏଠାରେ ଚିକିତ୍ସା ପାଉଛନ୍ତି। ସେହିପରି ଗତ ଆର୍ଥିକ ବର୍ଷରେ ପ୍ରାୟ ୧,୫୦୦ ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି।
ଏ ସମ୍ପର୍କରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡା. ରବୀନ୍ଦ୍ର ନାଥ ଖଟୁଆ କହିଛନ୍ତି ଯେ, ହସ୍ପିଟାଲର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ତଥାପି ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକାରୀ ନ ହେବାରୁ ଅନେକ ସମସ୍ୟା ରହିଛି। ତେବେ ଉପଲବ୍ଧ ସମ୍ବଳ ଓ କମ୍ ଡାକ୍ତର ଥିଲେ ମଧ୍ୟ ରୋଗୀ ସେବାକୁ ପ୍ରାଥମିକତା ଦେଇ କାର୍ଯ୍ୟ ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User