ଗୋଛାପଡା ପୋଲିସ ଦ୍ୱାରା ୧୦୬ଏକର ଗଞ୍ଜେଇ ଚାଷ ନଷ୍ଟ ।
ଫିରିଙ୍ଗିଆ,୧୩l୧୧(ଷ୍ଟାର ନିୟୁଜ):କନ୍ଧମାଳ ଜିଲାରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବାରୁ ତାକୁ ଅଙ୍କୁଶ ଲଗେଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ସବୁ ନିଆଯାଉଛି ।କନ୍ଧମାଳ ପୋଲିସ ଓ ଅବକାରୀ ବିଭାଗ ଏହି ବେଆଇନ ଚାଷକୁ ସମୂଳେ ନଷ୍ଟ କରିବା ପାଇଁ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଭିଯାନ କରି ଶହ ଶହ ଏକର ଗଞ୍ଜେଇ ନଷ୍ଟ କରିବା ସହିତ ଅଭିଯୁକ୍ତ ମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଉଛି । ଆଜି ମଧ୍ୟ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ଅଞ୍ଚଳରେ ପୋଲିସ ଅବକାରୀ ବିଭାଗ ଓ ବନବିଭାଗ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଛି।ଏହି ମିଳିତ ଅଭିଯାନରେ ପ୍ରାୟ ୧୦୬ ଏକର ଜାଗାରେ ବେଆଇନ ଭାବରେ କରାଯାଇଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ କାଟି ସଫା କରାଯାଇଥିବା ସୂଚନା ମିଳିଛି।ଆଜିର ଏହି ଅଭିଯାନରେ ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।ଏହି ଅଭିଯାନ ଗୋଛାପଡା ଥାନା ଅନ୍ତର୍ଗତ ଲୁଇସିଂ ପଞ୍ଚାୟତର ରୁକ୍ ପଦର, ଭାଟୁଲୁ, କୁମେଲସିଂ ଆଦି ଅଞ୍ଚଳରେ କରାଯାଇଛି। ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥିବି ରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଏହି ଅଭିଯାନ କରାଯାଇଥିଲା। ଗୋଚ୍ଛାପଡ଼ା ଥାନା ଅଧିକାରି ଚିରଞ୍ଜିବୀ ବେହେରା଼ଙ୍କ ନେତୃତ୍ୱରେ ସମସ୍ତ ପୋଲିସ ଟିମ,ଫୁଲବାଣୀ ଅବକାରୀ ବିଭାଗର ଇନଚାର୍ଜ ପ୍ରକାଶ ମଲିକ ଏବଂ ବନ ବିଭାଗର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଥାନା ଅଧିକାରି ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ ନିଶା କାରବାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏପରି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ଧରି ଏହି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ନଜରକୁ ଆସିଛି ଏବଂ ପୋଲିସ ଓ ଅବକାରୀ ବିଭାଗ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ବଡ଼ ଧରଣର ଗଞ୍ଜେଇ ଚାଷ ନଷ୍ଟ କରିବା ଦ୍ୱାରା ନିଶା ମାଫିଆଙ୍କୁ ଏକ ଶକ୍ତ ଧକ୍କା ଲାଗିଛି।ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ ୨୨୩/୨୫ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)