ସିନୋଟ୍ ଅଧ୍ୟକ୍ଷ ମୋଜେସ ଆକର୍ଷିତ ସୁନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Nov 26, 2025 - 17:40
 0  87
ସିନୋଟ୍ ଅଧ୍ୟକ୍ଷ ମୋଜେସ ଆକର୍ଷିତ ସୁନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ଝରିଗାଁ,୨୬l୧୧(ଷ୍ଟାର ନିୟୁଜ ଓଡିଶା): ଜୟପୁର ଇଭାଞ୍ଜେଲିକାଲ ଲୁଥରାନ ଚର୍ଚ୍ଚର ପୂର୍ବତନ ସିନୋଟ ଚ୍ୟାରମେନ୍ ତଥା ପୂର୍ବତନ ଭାରପ୍ରାପ୍ତ ବିଶପ ସ୍ବର୍ଗତ ମୋଜେଶ୍ ଆକର୍ଷିତ ସୁନାଙ୍କ ବିୟୋଗ ସମଗ୍ର ଳୁଥରାନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ତାଙ୍କର ପରଲୋକ ଗମନ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ରାଜ୍ୟର ମସିହ ସମାଜରେ ଶୋକର ଛାୟା ଖେଳିଯାଇଛି। ସୂଚନା ପ୍ରକାରେ ଗତ ଶନିବାର ଦିନ ବିଶାଖାପାଟଣା ଘୋରେଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଚଳିତ ମାସ ୧୩ ତାରିଖରେ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଛତିଶଗଡ ଜଗଦଲପୁର ଘୋରେଇ ହସ୍ପିଟାଲ ରେ ଗୋଟିଏ ଦିନ ରହିବା ପରେ ସ୍ଵାସ୍ଥ୍ୟ ସମସ୍ୟା ଗୁରୁତର ହେବାରୁ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅତ୍ୟାଧୁନିକ ଉନ୍ନତମାନର ଚିକିତ୍ସା ସତ୍ବେ କୌଣସି ପ୍ରକାରେ ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇନଥିଲା। ସଙ୍କଟାପନ୍ନ ଅବସ୍ଥାରେ ଶେଷରେ ସେ ଚିରନିଦ୍ରାରେ ଶୋଇଗଲେ। ସେ କିଛିମାସ ଧରି ମଧୁମେହ , ହୃଦ୍ ରୋଗ ଓ କିଡିନି ରୋଗରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ନବରଙ୍ଗପୁର ଜିଲ୍ଲା, କସାଗୁମୁଣ୍ଡା ବ୍ଲକ ,ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଟି ବେଡ଼ା ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶତାଧିକ ସଂଖ୍ୟାରେ ବିଭିନ୍ନ ଅଂଚଳରୁ ଶେଷ ଦର୍ଶନ କରିବାକୁ ଖ୍ରୀଷ୍ଟିୟ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତି ବିଶେଷ ତଥା ନେତୃବର୍ଗ ତଥା ଜୟପୁର ଇଭାଞ୍ଜେଲିକାଲ ଲୁଥରାନ ମଣ୍ଡଳୀ ପଦାଧିକାରୀ ଗଣ ସମେତ ବିଭିନ୍ନ ବର୍ଗର ଲୋକେ ପହଞ୍ଚିଥିଲେ। ରବିବାର ଦିନ ତାଙ୍କର ସମାଧି କ୍ରିୟା ସମ୍ପନ୍ନ ହୋଇଥିଲା। ମାତୃ ମଣ୍ଡଳୀ ଗିର୍ଜା ଗୃହରେ ସ୍ବତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ସୁନାଙ୍କୁ ମଣ୍ଡଳୀ ପକ୍ଷରୁ ଶେଷ ସମ୍ମାନ ଜ୍ଞାପନ କରାଯାଇଥିଲା। ନୂତନ ବିଶପ ରାଇଟ୍ ରେଭ୍. ଅନନ୍ତ କୁମାର ନାଗ ,ପୂର୍ବତନ ବିଶପ ରାଇଟ୍. ରେଭ୍. ବିଧାନ କୁମାର ନାୟକ ତଥା ସ୍ଥାନୀୟ ଚର୍ଚ୍ଚ ପାଳକଙ୍କ ଦ୍ଵାରା ସମାଧି କ୍ରିୟା ସମ୍ପନ୍ନ ହୋଇଥିଲା। ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କର ଅନ୍ତିମ ଯାତ୍ରାରେ ହଜାରେ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ସ୍ବର୍ଗତ ମୋଜେସ ଆକର୍ଷିତ ସୁନାଙ୍କ ବ୍ୟକ୍ତିତ୍ଵ ତାଙ୍କୁ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି। କଥାରେ କ୍ରିୟାରେ ଉଚ୍ଚାରଣ ଓ ଆଚରଣରେ ସ୍ୱତ୍ସତା ତାଙ୍କର ନିଡ଼ାମ୍ବର ସାଧୁମୟ ଜୀବନ, ଭଦ୍ର ମେଳାପି, ମିଷ୍ଟଭାଷୀ, ମୃଦୂପଣ,ସହିଷ୍ଣୁତା,ପରପୋକାରି ଗୁଣ ଲାଗି ସେ ସବୁରି ଆଦରଣୀୟ ମଣିଷ ଟିଏ ଥିଲେ। ଅନ୍ୟପକ୍ଷେ ସେ ଈଶ୍ବରଙ୍କ ଗଭୀର ବିଶ୍ୱାସୀ ଜଣେ ଦକ୍ଷ ଶିକ୍ଷକ, ପ୍ରବଚକ, କର୍ମଠ ମଣିଷ , ଉତ୍ତମ ପାଳକ ସହ ବଢ଼େଇ ଓ ଦର୍ଜୀ କାର୍ଯ୍ୟରେ ନିପୂଣ ଥିଲେ। ଛାତ୍ର ଜୀବନରୁ ଶିକ୍ଷା ପ୍ରତି ଅହେତୁକ ଜିଜ୍ଞାସା ରହିଥିଲା। ବି ଏଡ୍ ସାରି ସରକାରୀ ଚାକିରି ପରିବର୍ତ୍ତେ ଖ୍ରୀଷ୍ଟିୟ ସମାଜ ସେବକ ଭାବେ କର୍ମମୟ ଜୀବନ କୁ ବାଛି ନେଇଥିଲେ। ତାଙ୍କର ସେବକ ଜୀବନକାଳ ମଧ୍ୟରେ ଲୋକଙ୍କ ଉନ୍ନତି ପ୍ରଗତି ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ଯୋଡ଼ିବାକୁ ଅବସର ଗ୍ରହଣ ପରେ ମଧ୍ୟ କାର୍ଯ୍ୟ ତ୍ବରାନ୍ବିତ ରଖିଥିଲେ। ତୃଣମୂଳ ସ୍ତରରୁ ସଂଘର୍ଷମୟ ଜୀବନ ଆରମ୍ଭ ତାଙ୍କର। ଉପାନ୍ତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବିଛିନ୍ନ ଅଞ୍ଚଳ ଭାବେ ରହିଥିବା ଏକ ଛୋଟ ପଲ୍ଲୀ ଗାଁ ରୁ ବାହାରି ତାଙ୍କର ସମାଜସେବା ଓ ପ୍ରଭୁ ଯୀଶୁଙ୍କ ସୁସମାଚାର ଲୋକଙ୍କ ନିକଟରେ ପ୍ରକାଶ କରିବାକୁ ଲକ୍ଷ ନେଇ ଆଗେଇ ଆସିଥିଲେ। ପରିବାରର ସାତୋଟି ସନ୍ତାନ ଜନ୍ମ ଓ ସେମାନଙ୍କ ମୃତ୍ୟୁ ପରେ ପିତା ମାତା ମୋଜେଷ୍ ସୁନା ଙ୍କୁ ଅଷ୍ଟମ ସନ୍ତାନ ଭାବେ ପାଇଥିଲେ। ଅଷ୍ଟମ ଗର୍ଭ ରେ ଜନ୍ମ ହୋଇଥିବା ସ୍ବର୍ଗତ ମୋଜେସ ଆକର୍ଷିତ ଶିଶୁ ଯଦି ବଞ୍ଚେ ତେବେ ଯୀଶୁଙ୍କ ପଥରେ ଚାଲିବାକୁ ସମର୍ପି ଦେବା ପାଇଁ ମନାସି ଥିଲେ ତାଙ୍କ ସ୍ୱର୍ଗତଃ ମାତା ଦୟା ମଣି ସୁନା ପିତା ଆଲ୍ପୀୟସ ସୁନା । ୨୨ ସେପ୍ଟେମ୍ବର ୧୯୫୦ ମସିହା ରେ ଜନ୍ମ୍ ଗ୍ରହଣ କରିଥିଲେ। ୨୧/୧୧/୨୦୨୫ ତିରୋଧାନ ଘଟିଥିଲା। ପ୍ରତିକୂଳ ପରିସ୍ଥିତି ସତ୍ବେ ତୁଳସୀ ଦୁଇ ପତ୍ରରୁ ବସିଲା ଭଳି ତାଙ୍କର ଏକାଧିକ ପ୍ରତିଭା ସରଳ ସ୍ଵଭାବ ତାଙ୍କୁ ନିଆରା ମଣିଷ ଭାବେ ପରିଚୟ ଦେଇଥିଲା। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ରୀଷ୍ଟିୟ ସମ୍ପ୍ରଦାୟରେ ତାଙ୍କର ଅବଦାନ ଚିର ସ୍ମରଣୀୟ। ପ୍ରେମୀ ମଣିଷ ଭାବେ ତାଙ୍କର ସୁଖ୍ୟାତି ରହିଥିଲା। ଏକାଧିକ ଦେଶ ଭ୍ରମଣ କରି ପ୍ରଭୂ ଯିଶୁ ଙ୍କ ବାଣୀ ପ୍ରଚାର ପ୍ରସାର କରିଥିଲେ। ଜ୍ଞାନୀ ଅଜ୍ଞାନୀ ଧନୀ ଗରିବ ଉଚ୍ଚ ନୀଚ ତାଙ୍କ ନିକଟରେ କିଛି ନଥିଲା।କୁ ଈଶ୍ୱର ବିଶ୍ୱାସୀ ହୋଇ ସତ୍ ମାର୍ଗରେ ଚାଲିବାକୁ ପରାମର୍ଶ ଦେଉଥିଲେ।ଅହିଂସା ,ଶାନ୍ତି ପ୍ରେମ ଓ ଭାତ୍ରୁଭାବ ତାଙ୍କ କର୍ମମୟ ଜୀବନରେ ପ୍ରତିଫଳିତ ହେଉଥିଲା। ସ୍ବର୍ଗତ ମୋଜେସ୍ ସୁନାଙ୍କ ତୃତୀୟ ଦିବସ ଶ୍ରଦ୍ଧାଞ୍ଜଳି ମଙ୍ଗଳବାର ଦିନ ସ୍ଥାନୀୟ ମଣ୍ଡଳୀ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ସିନୋଟ ଅଧ୍ୟକ୍ଷ ଆଚାର୍ଯ୍ୟ ବିଭୂତି ଭୂଷଣ ପାଣି ଯୋଗଦେଇଥିବା ସ୍ଥଳେ ସମ୍ମାନିତ ଆଚାର୍ଯ୍ୟ ଭାବେ ସୁରେଶ ଖୋସଲା ଓ ସୁଶାନ୍ତ କୁମାର ଭତରା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଆଚାର୍ଯ୍ୟ ପାଣି ମୋଜେଶ ସୁନା ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଆଚାର୍ଯ୍ୟ ସ୍ବର୍ଗତ ସୁନା ଙ୍କ ଯଶ କୀର୍ତ୍ତି ନିଷ୍ଠା ତ୍ୟାଗ ଉପରେ ନିଜ ନିଜ ଅଭିଭାଷଣ ଦେଇଥିଲେ। ଅନ୍ୟ ପ୍ରମୁଖ ଅତିଥି ମଧ୍ୟରେ ଜେ ଇ ଏଲ ସି ଲିଗାଲ ଆଡ ଭାଇଜର ସୁଧାଂଶୁ ସାଦୁ ଉପସ୍ଥିତ ଥିଲେ। ସ୍ୱର୍ଗତଃ ସୁନା ଙ୍କ ଧର୍ମପତ୍ନୀ ଜୟନ୍ତୀ ସୁନା ସମେତ ତିନି ପୁତ୍ରବୋଧୁ ଝିଅ ଜୋଇଁ ନାତି ନାତୁଣୀ ଉପସ୍ଥିତ ଥିଲେ। ଆଚାର୍ଯ୍ୟ ପ୍ରମୋଦ କଛପ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଡ ପୁଅ ଗଗନ ସୁନା ଓ ସାନ ପୁଅ ସାମୁଏଲ ବେନିଡିକ୍ଟ ସୁନା ବାପାଙ୍କ ସ୍ମୃତି ରେଖାଙ୍କିତ କରି ଧନ୍ୟବାଦ୍ ଅର୍ପଣ ପରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR