ହୋହଲ୍ଲାରେ ଶେଷ ହେଲା ଝରିଗାଁ ପଞ୍ଚାୟତ ସମିତି ବୈଠକ ।
ଝରିଗାଁ,୧୬l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକସଭାଗୃହ ପରିସରରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ବ୍ଳକ ଉପାଧ୍ୟକ୍ଷା ମନଦେଇ ଭତରା,ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ, ଯମୁନା ଗଣ୍ଡ, ତ୍ରମିଳା ପୂଜାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।ପ୍ରଥମେ ଜିପିଇଓ ରମେଶ ଚନ୍ଦ୍ର ହରିଜନ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ।ପରେ ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ବିବରଣୀ ଦେଇଥିଲେ।ଶିକ୍ଷା ବିଭାଗ,ଖାଦ୍ୟ ଓ ଯୋଗାଣ ବିଭାଗ,କୃଷି ବିଭାଗ,ଉଦ୍ୟାନ ବିଭାଗ,ସମନ୍ୱିତ ଶିଶୁ ବିକାଶ ବିଭାଗ,ପାନୀୟ ଜଳ ଓ ପରିମଳ ବିଭାଗ,ଉଦ୍ୟାନ ବିଭାଗ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଲୋକାଭିମୁଖୀ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ।ଶେଷରେ ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା ହେବା ସମୟରେ ଝରିଗାଁ ବ୍ଲକ ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟ ବଣ୍ଟନକୁ ନେଇ ପଞ୍ଚାୟତ ପ୍ରତିନିଧିମାନେ ହୋହଲ୍ଲା କରିଥିଲେ।ପଞ୍ଚାୟତ ପ୍ରତିନିଧି ମାନଙ୍କ ଅଭିଯୋଗ ପ୍ରକାରେ, ବିକଶିତ ଗାଁ ଓ ବିକଶିତ ଓଡିଶାର ପ୍ରକଳ୍ପ ଗୁଡିକ ପଞ୍ଚାୟତ ଗୁଡିକରେ ପଲ୍ଲିସଭା ଏବଂ ଗ୍ରାମସଭା ମାଧ୍ୟମରେ ଅନୁମୋଦିତ ହୋଇଥିଲା।ନିୟମ ଅନୁଯାୟୀ ଉକ୍ତ ପ୍ରକଳ୍ପ ଗୁଡିକର ୪୦ ପ୍ରତିଶତ ବିଧାୟକ ଓ ୬୦ ପ୍ରତିଶତ ପ୍ରକଳ୍ପ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ ହେବାକଥା।କିନ୍ତୁ ସ୍ଥାନୀୟ ବିଧାୟକ ନରସିଂହ ଭତ୍ରା ଶତ ପ୍ରତିଶତ କାମରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି।ତେଣୁ ପଞ୍ଚାୟତ ଜନ ପ୍ରତିନିଧି ମାନେ ସରକାରଙ୍କ ନିୟମ ପ୍ରକାରେ ୬୦ ପ୍ରତିଶତ କାର୍ଯ୍ୟାଦେଶ ଦେବା ପାଇଁ ଦାବି କରିଥିଲେ।ଯଦି ପ୍ରଶାସନ ପକ୍ଷରୁ ଦାବି କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଚେତାବନୀ ଦେଇଛନ୍ତି।କାମ ଭାଗବଣ୍ଟାକୁ ନେଇ କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ ପଞ୍ଚାୟତ ପ୍ରତିନିଧି ମାନେ ନିଜ ଜିଦରେ ଅଟଳ ରହିଛନ୍ତି।ତେବେ ଆଗାମୀ ଦିନରେ ଏହି ବିବାଦ କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା।ବୈଠକରେ ବ୍ଲକର ସମସ୍ତ ୨୩ ଗୋଟି ପଞ୍ଚାୟତର ସମିତି ସଭ୍ୟସଭ୍ୟା,ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଜିପିଇଓ ରମେଶ ଚନ୍ଦ୍ର ହରିଜନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)