ପାଣି ପାଇଁ ଡହଳ ବିକଳ, ଭୋର ସକାଳୁ ଧାଡ଼ିରେ ଠିଆ ହେବାକୁ ପଡୁଛି ମହିଳାଙ୍କୁ।

ଝରିଗାଁ,୧୩l୫(ଷ୍ଟାର ନିୟୁଜ ଓଡ଼ିଶା ) :ପ୍ରଚଣ୍ଡ ଖରାକୁ ପାନୀୟ ଜଳ ଅଭାବ |ଡହଳ ବିକଳ ହେଉଛନ୍ତି ଝରିଗାଁ ବ୍ଲକ,ଧାମନାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବାଗଗୁଡ଼ା ଗ୍ରାମର ଗ୍ରାମବାସୀ । ପିଇବା ପାଣି ଲାଗି ଭୋର ସକାଳୁ ଧାଡ଼ି ବାନ୍ଧି ନଳକୂପ ଜାଗାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ମହିଳାମାନଙ୍କୁ। ଘରର ଅନ୍ୟାନ୍ୟ କାମ ଛାଡି ପାଣି ଘରକୁ ନେବା ପାଇଁ ସମୟ ଦେବାକୁ ପଡୁଛି। ଗ୍ରୀଷ୍ମ ପ୍ରବାହରେ ଜଳସ୍ତର ତଳକୁ ଖସିଛି। ହାଣ୍ଡିଏ ପାଣି ବାହାରିବାକୁ ଦଶ ରୁ ପନ୍ଦର ମିନିଟ ସମୟ ଦରକାର। ଅନବରତ ହେଣ୍ଡେଲ ମାରି ମହିଳାଙ୍କୁ କ୍ଳାନ୍ତଶ୍ରାନ୍ତ ହେବାକୁ ପଡୁଛି। ବାଗଗୁଡ଼ା ଗ୍ରାମରେ ରହୁଛନ୍ତି ୨୦ରୁ ଉର୍ଦ୍ଧ ପରିବାର । ଗୋଟିଏ ମାତ୍ର ରହିଛି ନଳକୂପ। ପ୍ରଥମେ ଧାଡ଼ିରେ ଲାଗିଥିବା କିଛି ମହିଳା ପାଣି ସଂଗ୍ରହ କରି ସାରିବା ପରେ ଯେଉଁ ମହିଳା ବିଳମ୍ବରେ ଧାଡ଼ିରେ ରହୁଛନ୍ତି ସେମାନଙ୍କୁ ପାଣି ହାଣ୍ଡିଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ପାଣି ଜମା ହେବାକୁ ଅଧଘଣ୍ଟା ଲାଗୁଛି। ଅପେକ୍ଷା ପରେ ଆଉ କେତେ ହାଣ୍ଡି ପାଣି ବାହାରୁଛି। ସକାଳୁ ସଞ୍ଜ ଓ ସଞ୍ଜ ରୁ ରାତ୍ରି ପର୍ଯ୍ୟନ୍ତ ଜଗି ଜଗି ପାଣି ସଂଗ୍ରହ କରୁଥିବା ମହିଳାମାନେ କହିଛନ୍ତି।ଗ୍ରାମରେ ୧୦୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଗୋଟିଏ ନଳକୂପ ରୁ ଆବଶ୍ୟକ ପାନୀୟ ଜଳ ମିଳି ପାରୁନଥିବା କହିଛନ୍ତି ବାଗଗୁଡା ଗ୍ରାମର ମହିଳା ମାନଙ୍କ ମଧ୍ୟରେ ଚଞ୍ଚଳା ଭତରା, କମଳା ଭତରା, ମନସିଲା ଭତରା, ରଇବାରୀ ଭତରା, ଗୋମତୀ ଭତରା, ଫୁଲ ଭତରା, ଗୀତା ଭତରା, ଟଳେଇ ଭତରା, ଦମଣୀ ଭତରା, କମଳା ଭତରା ଓ ଅନ୍ୟ ମହିଳାମାନେ। ଅନ୍ୟପକ୍ଷେ ପାଣି ପାଇଁ ବିକଳ୍ପ ଭାବେ ଦୁଇ କିଲୋମିଟର ବାଟ ଯିବାକୁ ପଡୁଛି ମହିଳାଙ୍କୁ। ବାଗଗୁଡ଼ା ଠାରୁ ଟୁଟିଗୁଡ଼ା ଓ ଧାରନାବେଡା ଗାଁ କୁ କାଖ ଓ ମୁଣ୍ଡରେ ପାଣିପାତ୍ର ଧରି ଚାଲିଚାଲି ଯାଉଛନ୍ତି ମହିଳାମାନେ। ଉଭୟ ଗ୍ରାମ ବାଗଗୁଡ଼ା ଠାରୁ ପ୍ରାୟ ଦୁଇ କିଲୋମିଟର ବାଟ ହେଉଥିବା ବେଳେ ବିଲ ଓ ବିଲହୁଡ଼ା ଦେଇ ଚାଲିଚାଲି ଯାଉଥିବା କହିଛନ୍ତି ଗ୍ରାମର ମହିଳା। ଗ୍ରାମ ନିକଟରେ ନା କୌଣସି ପୋଖରୀ ଅଛି ନା ରହିଛି ନଦୀ କିମ୍ବା ନାଳ ।ଘରର ଯାବତୀୟ କାର୍ଯ୍ୟ ପାଇଁ ଏହି ନଳକୂପ ପାଣି ହିଁ ଭରଷା |ଯଦଦ୍ୱାରା ପିଇବା ପାଣି ସମସ୍ୟା ଦୀର୍ଘ ଦିନରୁ ଲାଗିରହିଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଜଳସ୍ତର ଠିକ୍ ରହିଥିବା ଜାଗାରେ ଏକ ନୂତନ ନଳକୂପ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମର ମହିଳା ସମୂହ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ
What's Your Reaction?






